ଆଠଗଡ ଡାକ୍ତରଖାନା ପାଇଲା ଆଇଏସଓ ୯୦୦୧ ପ୍ରମାଣପତ୍ର

ଆଠଗଡ : ଆଠଗଡବାସୀଙ୍କ ପାଇଁ ଏକ ଖୁସିର ଖବର ହେଲା ଆଠଗଡ ଉପଖଣ୍ଡ ଡାକ୍ତରଖାନା ଉନ୍ନତ ଭିତ୍ତିଭୂମି ଓ ସ୍ୱାସ୍ଥସେବା ପାଇଁ ଆଇଏସଓ ୨୦୦୧:୨୦୧୫ ମାନ୍ୟତାର ପ୍ରମାଣପତ୍ର ପାଇଛି। ଉପଖଣ୍ଡସ୍ତରୀୟ ଡାକ୍ତରଖାନାଗୁଡିକ ମଧ୍ୟରେ ଆଠଗଡ ଡାକ୍ତରଖାନାର ବର୍ହିଚିକିତ୍ସା ବିଭାଗ, ଆନ୍ତଃଚିକିତ୍ସା ବିଭାଗ, ଜରୁରୀକାଳିନ ଚିକିତ୍ସା ସେବା, ବିଶେଷଜ୍ଞ ଡାକ୍ତରୀ ସେବା, ଚକ୍ଷୁ ଓ ଦନ୍ତ ଚିକିତ୍ସା ସେବା, ନବଜାତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସେବା, ନିଦାନ ଯୋଜନାରେ ରୋଗ ନିରୂପଣ, ନିରାମୟ ଯୋଜନାରେ ଔଷଧ ବିତରଣ, ରଞ୍ଜନ ରଶ୍ମି ସେବା, ମାତୃ, ଶିଶୁ ସ୍ୱାସ୍ଥ୍ୟସେବା, ଟିକାକରଣ, ଶବ ବ୍ୟବଚ୍ଛେଦ ବ୍ୟବସ୍ଥା, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟସେବା ସଂପର୍କୀତ ବିଭିନ୍ନ ତାଲିମ କାର୍ଯ୍ୟକ୍ରମର ଭର୍ଚୁଆଲ ତଦାରଖ କରିବା ପରେ ନୂଆଦିଲ୍ଲୀସ୍ଥିତ ଆଇଏସଓ ବିଭାଗ ପକ୍ଷରୁ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ୯୦୦୧:୨୦୧୫ମାନ୍ୟତା ପ୍ରଦାନ କରାଯାଇଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଗତ ମାର୍ଚ୍ଚ ୧୧ତାରିଖରେ ଏହି ଆଇଏସଓ ପ୍ରମାଣପତ୍ର ମିଳିଥିବାବେଳେ ଆସନ୍ତା ୨୦୨୪ମସିହା ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଛି। ଏହି ୩ବର୍ଷ ମଧ୍ୟରେ ୨ଥର ଅର୍ଥାତ୍ ୨୦୨୨ଫେବୃଆରୀ ୧୧ ଏବଂ ୨୦୨୩ ଫେବୃଆରୀ ୧୧ରେ ଆଇଏସଓ କର୍ତ୍ତୃପକ୍ଷ ଡାକ୍ତରଖାନାର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ସଂପର୍କରେ ପୁନଃ ତଦାରଖ କରିବେ ବୋଲି ଜଣାପଡିଛି।

ତେବେ ଆଇଏସଓ ୯୦୦୧ ପ୍ରମାଣପତ୍ର ପାଇଥିବା ଏହି ଡାକ୍ତରଖାନାର ବାସ୍ତବଚିତ୍ର କିନ୍ତୁ ଭିନ୍ନ ରହିଥିବା ଦେଖାଯାଇଛି। ଏହାର ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଅଧିକ୍ଷକଙ୍କୁ ମିଶାଇ ୨୩ ରହିଥିବାବେଳେ ଏବେ ମାତ୍ର ୧୦ଜଣ ଡାକ୍ତର ଏଠାରେ କାର୍ଯ୍ୟ କରୁଛନ୍ତି। ଫଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ମିଳୁନାହିଁ। ଯେ କୌଣସି ଗୁରୁତର ରୋଗୀ ଡାକ୍ତରଖାନାରେ ପହଞ୍ଚିଲେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ମାତ୍ରେ କଟକ ରେଫର କରାଯାଉଛି। ଏଠାରେ ୨ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ ମଧ୍ୟ ସ୍ୱଭାବିକ ପ୍ରସବ ମଧ୍ୟ କରାଯାଇ ପାରୁନାହିଁ। ନିଶ୍ଚେତକ ବିଶେଷଜ୍ଞ ପଦବୀ ଖାଲିଥିବାରୁ ପ୍ରସୂତୀଙ୍କ ଅସ୍ତ୍ରୋପଚାର ପ୍ରସବ ଏହାରେ କରାଯାଇ ପାରୁନାହିଁ। ଏହି ଡାକ୍ତରଖାନାରେ ୧୨ଟି ବିଶେଷଜ୍ଞ ପଦବୀ ରହିଥିବାବେଳେ ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ନିଦାନ ବିଶେଷଜ୍ଞ, ଅସ୍ଥି ଶଲ୍ୟ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ ପଦବୀ ସଂପୂର୍ଣ୍ଣ ଖାଲି ପଡିଛି। ସେହିପରି ୩ଟି ଶିଶୁରୋଗ ବିଶେଷଜ୍ଞ ପଦବୀ ରହିଥିବାବେଳେ ମାତ୍ର ଜଣେ ଏବେ କାର୍ଯ୍ୟରତ ଅଛନ୍ତି ଓ ୨ଟି ପଦବୀ ଖାଲି ରହିଛି। ସେହିପରି ୧୦ଜଣ ସାଧାରଣ ମେଡିକାଲ ଅଫିସର ଡାକ୍ତର ପଦବୀ ମଧ୍ୟରୁ ୪ଟି ପଦବୀ ଖାଲି ପଡିଛି। ଦୁଃଖ ଓ ପରିତାପର ବିଷୟ ହେଲା ଆଠଗଡ ମୁଖ୍ୟ ଦପ୍ତରରେ ପ୍ରାୟ କୌଣସି ଡାକ୍ତର ରହୁନଥିବା ବେଳେ ସେମାନେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳରୁ ଯିବା ଆସିବା କରିଥାନ୍ତି। ଅଧିକାଂଶ ଡାକ୍ତର ସପ୍ତାହର ୨-୩ ଦିନ ରହି ଏକ ସଙ୍ଗରେ ରାତିଦିନ କାମ କରି ବାକି ଦିନ ଅନ୍ୟସ୍ଥାନରେ ସେମାନେ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି। ଶଲ୍ୟ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ପଦବୀ ଦୀର୍ଘଦିନରୁ ଖାଲି ପଡିଥିବାରୁ ଗୁରୁତର ରୋଗୀ, ବିଶେଷକରି ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ପୂର୍ବରୁ ଏଠାରେ ବହୁ ରୋଗୀଙ୍କର ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁଥିଲା। ତେବେ ଏଠାରେ ଥିବା ଚକ୍ଷୁ ବିଶେଷଜ୍ଞଙ୍କର ବଦଳି ହେବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିନଥିବାରୁ ଚକ୍ଷୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ଏବେ ଏହି ଡାକ୍ତରଖାନାକୁ ଆଇଏସଓ ୯୦୦୧ମାନ୍ୟତା ମିଳିଥିବାରୁ ଲୋକମାନଙ୍କର ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଯେଉଁ ଆଶା ରହିଛି ତାହା ପୂରଣ ପାଇଁ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକ ପୂରଣ କରିବା ଦିଗରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି। ତା ଛଡା କାର୍ଯ୍ୟରତ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରଙ୍କୁ ଉପଖଣ୍ଡ ମୁଖ୍ୟ ଦପ୍ତରରେ ରହି ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି ମଧ୍ୟ ଦାବି ହେଉଛି।

Comments are closed.