ଅଶାନ୍ତ ସମୁଦ୍ର ; ଶହଶହ ଏକର ଚାଷଜମି ଜଳମଗ୍ନ

କୂଳ ଲଂଘି ମାଡି ଆସୁଛି ଉଚ୍ଚ ଜୁଆରଢେଉ

ଆରଡି : ଲଘୁଚାପ ପ୍ରଭାବରେ ଗତ ୨ଦିନ ହେବ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲିସ୍ଥିତ ଧାମରା ଠାରେ ଅଶାନ୍ତ ହୋଇପଡିଛି ସମୁଦ୍ର। ଏପରିକି ସମୁଦ୍ର ଉଚ୍ଚ ଜୁଆରଢେଉ କୂଳ ଲଂଘି ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି। ଫଳରେ ଆରଡି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁ ଚାରିପାଖେ ଜୁଆରପାଣି ଲହଡି ଭାଙ୍ଗୁଛି।

ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀନଦୀରେ ଥିବା ବଡବଡ ହିଂସ୍ର କୁମ୍ଭୀର ଶୋଇ ରହୁଛନ୍ତି ନଦୀପଠାରେ। ଭୟରେ ଗାଁ ଲୋକଙ୍କ ଯାତାୟତ ଠପ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ରାସ୍ତାରେ ଜୁଆର ସମୟ ଠାରୁ ଭଟା ପର୍ଯ୍ୟନ୍ତ ସମୁଦ୍ରପାଣି ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇପାରି ଘରେ ରହୁଛନ୍ତି। ସେହିପରି ନଈକୂଳରେ ବସବାସ କରୁଥିବା ୨୦ରୁ ଉର୍ଦ୍ଧ ପରିବାର ଭୟରେ ଜୀବନ ବିତାଉଛନ୍ତି। କିଛିଦିନ ତଳେ ନଦୀବନ୍ଧ ଧସିଯିବା ସହ ଭୂସ୍ଖଳନ ହେବାରୁ ୫ଟି ପରିବାର ବାସହରା ହୋଇଯାଇଥିଲେ।

ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି। ଏହାସହ ଭୂଇଁପୁର, ନାନ୍ଦପୁର, କୋଇଲିଖା, ବାଙ୍କମୁଆଁ, ପହଣା, ମୁଆଁ, ସନ୍ତରା ଆଦି ଅଞ୍ଚଳରେ ଶହଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ଦିନ ହେବ ଜୁଆରପାଣି ଲହଡି ଭାଙ୍ଗୁଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କହିଛନ୍ତି।

Comments are closed.