ଦିଲ୍ଲୀରେ କ୍ଷମତାକୁ ଫେରିବ ଆପ୍‌, ଟକ୍କର ଦେଇପାରିବନି ବିଜେପି: ସର୍ଭେ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି। ନିର୍ବାଚନ ବିଗୁଲ ବାଜିବା କ୍ଷଣି ଶାସକ ଦଳ ଆମ ଆଦ୍‌ମୀ ପାର୍ଟି(ଆପ୍‌) ଦାବି କରିଛି ଯେ ନିଜର କାର୍ଯ୍ୟ ବଦଳରେ ପୁଣି ଥରେ କ୍ଷମତାକୁ ଫେରିବ। ଅନ୍ୟପଟେ ବିଜେପି କହିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୂରା ୫ବର୍ଷ କେବଳ ପ୍ରତିଶ୍ରୁତି ଏବଂ ବିଜ୍ଞାପନରେ ଖର୍ଚ୍ଚ କରିଛି। ତେବେ ଏସବୁ ଭିତରେ ଏକ ସର୍ଭେ ରିପୋର୍ଟ ଦିଲ୍ଲୀ ରାଜନୀତି ପାଣିପାଗକୁ ଅଧିକ ସରଗରମ କରିଛି। ଦିଲ୍ଲୀରେ ଆପ୍‌ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ସର୍ଭେରେ କୁହାଯାଇଛି।

ଆଇଏଏନଏସ-ସି ଭୋଟର ପକ୍ଷରୁ ହୋଇଥିବା ପ୍ରାକ୍‌ ନିର୍ବାଚନ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଆପ୍‌ ସରକାର ବହୁମତ ସହିତ ଦ୍ବିତୀୟ ଥର କ୍ଷମତାକୁ ଫେରିବ। ଜାନୁୟାର ପ୍ରଥମ ସପ୍ତାହରେ ଏହି ସର୍ଭେ କରାଯାଇଥିବାବେଳେ ସୋମବାର ଏହାର ରିପୋର୍ଟ ଜାରି ହୋଇଛି। ରିପୋର୍ଟ ଅନୁସାରେ, ଯଦି ନିର୍ବାଚନ ଜାନୁୟାରୀ ପ୍ରଥମ ସପ୍ତାହରେ ହୁଏ, ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୨୦୧୫ରେ ମିଳିଥିବା ବିଜୟ ଦୋହରାଇ ପାରିବ।

ସର୍ଭେରେ ୧୩ ହଜାର ୭୬ ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଜାନୁୟାରୀରେ ନିର୍ବାଚନ ହୋଇଥିଲେ ୫୩.୩ ପ୍ରତିଶତ ଭୋଟ୍‌ ସହିତ ୫୯ ଆସନ ମିଳିଥାନ୍ତା। ସେହିପରି ୨୫.୯ ପ୍ରତିଶତ ଭୋଟ ସହିତ ବିଜେପିକୁ ୮ ଏବଂ ୪.୯ ଭୋଟ ସହିତ କଂଗ୍ରେସକୁ ୩ରୁ ୪ ଆସନ ମିଳିଥାନ୍ତା।

ସର୍ଭେ ସମୟରେ ଲୋକଙ୍କୁ ପଚରା ଯାଇଥିଲା ଯେ, ବିଧାନସଭା ନିର୍ବାଚନ ଯଦି ଆଜି ହୁଏ, ତେବେ ଆପଣ କାହାକୁ ଭୋଟ ଦେବେ ? ଲୋକଙ୍କୁ ମତାମତକୁ ଭିତ୍ତି କଲେ ଆପ୍‌କୁ ୫୪ରୁ ୬୪ ଆସନ ମିଳିଥାନ୍ତା। ବିଜେପିକୁ ୩ରୁ ୧୩ଟି ଏବଂ କଂଗ୍ରେସକୁ ଶୂନରୁ ୬ଟି ଆସନରେ ବିଜୟ ମିଳିଥାନ୍ତା। ଗତ ବିଧାନସଭା ନିର୍ବାଚନରେ ଆପ୍‌କୁ ୬୭ ଆସନ ମିଳିଥିଲା। ପରେ ୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ପରେ ଦଳର ୬୨ ବିଧାୟକ ରହିଥିଲେ।

Comments are closed.