‘ଆପ୍‌’ ସରକାରର  ଆହ୍ବାନ ଓ ଅଗ୍ରାଧିକାର

କିଶୋର ଦ୍ବିବେଦୀ (ବରିଷ୍ଠ ସାମ୍ବାଦିକ): ଅରବିନ୍ଦ କେଜରିୱାଲ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଜାତୀୟ ରାଜଧାନୀର ଶାସନ ଦାୟିତ୍ବ ଗ୍ରହଣ କରି କେଜରିୱାଲ ‘ହ୍ୟାଟ୍ରିକ୍‌’ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଐତିହାସିକ ରାମଲୀଳା ମୈଦାନରେ ଶପଥ ଗ୍ରହଣ କରିବା ପରେ କେଜରିୱାଲ ଯେତେବେଳେ ‘ହମ୍‌ ହୋଗେଁ କାମ୍‌ୟାବ୍‌’ ଗୀତ ଗାଇଲେ ସେତେବେଳେ ତାଙ୍କ ମୁଖରୁ ପରିବର୍ତ୍ତିତ, ପୋଖତ ଏବଂ ଏକ ଉତ୍ତିଷ୍ଠତି ରାଜନେତାର ଚେହେରାର ଝଲକ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

୨୦୧୫ ମସିହାରେ ଅରବିନ୍ଦ କେଜରିୱାଲ ଜଣେ କ୍ରାନ୍ତିକାରୀ ଓ ରାତାରାତି ଆମୂଳଚୂଳ ପରିବର୍ତ୍ତନ କରିଦେବାର ବାର୍ତ୍ତାବହ ତଥା ଭ୍ରଷ୍ଟାଚାରର ମୂଳୋତ୍ପାଟନକାରୀ ଯାଦୁଛଡ଼ିଧାରୀ ନେତାର ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ଅବତୀର୍ଣ୍ଣ ହୋଇଥିବାବେଳେ ଚଳିତଥର ୨୦୨୦ ମସିହାରେ ନୂଆକରି ଆରମ୍ଭ ହୋଇଥିବା କାମ ରାଜନୀତିର ଜନକ କେଜରିୱାଲ ଏକ ବୁଝାସୁଝା, ପରିପକ୍ବ ତଥା ସଭିଙ୍କୁ ସାଥିରେ ନେଇ ଚଳିବା ଓ ଚାଲିବା ଚେହେରାଧାରୀର ଅବତାର ଧାରଣ କରିଥିବା ଲକ୍ଷ୍ୟ କରାଯାଉଛି।

ଦିଲ୍ଲୀ ରାଜ୍ୟ ଗଠନ ହେବା ପରଠୁ ଏଠାରେ ହୋଇଥିବା ନିର୍ବାଚନଗୁଡ଼ିକ ମଧ୍ୟରୁ ଚଳିତ ନିର୍ବାଚନ ସବୁଠୁ ହିଂସ୍ର, କଟୁତାପୂର୍ଣ୍ଣ, ବିବାଦୀୟ ଓ ନୀଚସ୍ତରର ଥିବା ରାଜନୈତିକ ପର୍ୟ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି; କିନ୍ତୁ ବ୍ୟକ୍ତିଗତ ଭାବରେ କେଜରିୱାଲ ଚଳିତ ନିର୍ବାଚନରେ ପାରୁ ପର୍ୟ୍ୟନ୍ତ ବିବାଦରୁ ଊର୍ଦ୍ଧ୍ବରେ ରହି ଜଣେ ଉଦାର ହୃଦୟସମ୍ପନ୍ନ, ଉଚ୍ଚମନା ଓ ପ୍ରବୀଣ ରାଷ୍ଟ୍ର ନେତାର ଉଦାହରଣ ସୃଷ୍ଟି କରିଛନ୍ତି, ଯାହାକି ତାଙ୍କୁ ବହୁ ଭାବରେ ଫାଇଦା ଦେଇଛି। ଦିଲ୍ଲୀ ନିର୍ବାଚନରେ ଘରେଘରେ ପ୍ରଚାର କରିବା ସହିତ ରେକର୍ଡ ସଂଖ୍ୟକ ୍କଲି ଓ ରୋଡ୍‌ ସୋ’ କରିଥିବା ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କେଜରିୱାଲ ପଦେ ହେଲେ ବି କିଛି ଉଚ୍ଚାରଣ କରିନାହାନ୍ତି ବା ସେମାନଙ୍କର ଆକ୍ଷେପର କୌଣସି ଉତ୍ତର ନ ଦେଇ ଏହାକୁ ଚତୁରତାର ସହିତ ଏଡ଼ାଇ ଦେଇଛନ୍ତି। ତାଙ୍କର ଏହି ବଡ଼ପଣକୁ ‘ଦିଲ୍‌ବାଲା ଦିଲ୍ଲୀ’ର ଲୋକେ ପସନ୍ଦ କରିଛନ୍ତି। ଏହାଠାରୁ ପାଦେ ଆଗେଇଯାଇ ନିର୍ବାଚନ ଫଳାଫଳ ଘୋଷଣାମାତ୍ରେ ପ୍ରଚାର ବେଳର କଳିତକରାଳକୁ ପାସୋରି ଦେବା ଏବଂ ତାଙ୍କର ନୂଆ ସରକାର କେନ୍ଦ୍ର ସରକାର ସହିତ କାନ୍ଧକୁ କାନ୍ଧ ମିଳାଇ ଦିଲ୍ଲୀବାସୀଙ୍କର କଲ୍ୟାଣ ପାଇଁ କାମ କରିବାକୁ ସେ ଯେଉଁ ନିବେଦନ କଲେ ତାହା ସମସ୍ତଙ୍କର ମନକୁ ଛୁଇଁ ପାରିଥିଲା। ସେହିପରି ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ଓ ଶପଥ ପରେ ପ୍ରଧାନମନ୍ତ୍ରୀଙ୍କର ଆଶୀର୍ବାଦ ଭିକ୍ଷା କରି ସେ ପ୍ରଥମେ ବିରୋଧୀ ପକ୍ଷକୁ ସହଯୋଗର ହାତ ବଢ଼ାଇବାର ରଣନୀତି ମଧ୍ୟ ଅଭୂତପୂର୍ବ ଥିଲା।

କେଜରିୱାଲ ଚଳିତ ନିର୍ବାଚନ ଗତ ୫ବର୍ଷ ଧରି ସେ ଦିଲ୍ଲୀରେ କରିଥିବା ବିକାଶର ‘ରିପୋର୍ଟ କାର୍ଡ’ ଆଧାରରେ ଲଢ଼ିଥିଲେ। ସେ ଯଦି କାମ କରିଛନ୍ତି, ତାଙ୍କୁ ଭୋଟ୍‌ ଦେବାକୁ, ଅନ୍ୟଥା ନ ଦେବାକୁ ସେ ସାଧାରଣରେ ରୋକ୍‌ଠୋକ୍‌ ଭାବରେ କହିବା ଲୋକଙ୍କୁ ଭଲ ଲାଗିଥିଲା। ଦିଲ୍ଲୀରେ ୧୨କ୍ଲାସ ପର୍ୟ୍ୟନ୍ତ ମାଗଣା ଶିକ୍ଷା, ଛାତ୍ର ବୃତ୍ତି ବୃଦ୍ଧି, ମ୍ୟାନେଜମେଣ୍ଟ କୋଟା ଉଚ୍ଛେଦ, ଖୁସି, ଔଦ୍ୟୋଗିକ କୁଶଳତା ଏବଂ ଦେଶଭକ୍ତି ଆଦି ଅନନ୍ୟ ଓ ଭିନ୍ନ ଧରଣର ପାଠ୍ୟକ୍ରମର ପ୍ରବର୍ତ୍ତନ, ନର୍ସରୀ ନାମଲେଖା ପାଇଁ ଥିବା ବାଧ୍ୟତାମୂଳକ ସର୍ତ୍ତାବଳୀର ଉଚ୍ଛେଦ, କ୍ଲାସରୁମ୍‌ଗୁଡ଼ିକର ନବୀକରଣ ଓ ଏହାର ସଂଖ୍ୟାକୁ ୨୧ହଜାରକୁ ବୃଦ୍ଧି ଓ କ୍ଲାସରୁମ୍‌ରେ ସିସି ଟିଭି କ୍ୟାମେରା ଖଞ୍ଜିବା ଘରୋଇ ସ୍କୁଲଗୁଡ଼ିକୁ ନିୟନ୍ତ୍ରଣକୁ ଆଣିବା ଓ ୫୭୫ଟି ବିଦ୍ୟାଳୟକୁ ଆଦାୟ କରାଯାଇଥିବା ଅଧିକ ଫିସ୍‌କୁ ଫେରାଇବା ପାଇଁ ନିର୍ଦେଶ ଦେବା ଭଳି ଯୁଗାନ୍ତକାରୀ ପଦକ୍ଷେପମାନ ନେଇ ଆପ୍‌ ସରକାର ଆଧୁନିକ ଶିକ୍ଷା କ୍ଷେତ୍ରରେ ସୃଷ୍ଟି କରିଥିବା ବିପ୍ଳବକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି। ଏହାଛଡ଼ା ମାଗଣାରେ ୨୦୦ ୟୁନିଟ୍‌ ବିଜୁଳି, ୨୦ ହଜାର ଲିଟର ପାଣି ଯୋଗାଇ ଦେବା ସାଙ୍ଗକୁ ଗଳିକନ୍ଦିରେ ମୋହଲ୍ଲା କ୍ଲିନିକ୍‌ମାନ ଖୋଲି ଉନ୍ନତ ସ୍ବାସ୍ଥ୍ୟସେବା ଘରେଘରେ ବିନା ପଇସାରେ ଯୋଗାଇଦେବା ଓ ମହିଳା, ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବସ୍‌ ଯାତ୍ରାର ସୁଯୋଗ ଦେବା  କେଜରିୱାଲଙ୍କର ବିକାଶ ରାଜନୀତିର ଅଂଶବିଶେଷ ଥିଲା। ଏହା ଝୁଗି ଝୋପଡ଼ିବାଲା, ବସ୍ତିବାସିନ୍ଦା, ଗରିବଗୁରୁବା, ଖଟିଖିଆ, ମଜଦୁରମାନଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇଥିଲା। ଏହା ସାଙ୍ଗକୁ ଶ୍ରୀ କେଜରିୱାଲ ଅନ୍ୟାନ୍ୟ ପ୍ରଦେଶର ନେତାମାନଙ୍କୁ ପ୍ରଚାର ପାଇଁ ନଡାକି ଏକାକି ଲଢ଼େଇର ମଙ୍ଗୁଆଳ ବନିବା, ଜେଏନ୍‌ୟୁ, ସାହିନ୍‌ବାଗ ଓ ଜାମିଆ ଭଳି ବିବାଦୀୟ ସ୍ଥାନକୁ ନ ଯିବା ଏକ ଦୁର୍ନୀତିମୁକ୍ତ, ସ୍ବଚ୍ଛ ଓ ବିକାଶନ୍ମୁଖୀ ପ୍ରଶାସନ ଉପରେ ସଦାସର୍ବଦା ଜୋର୍‌ ଦେବା ତଥା ଭାରତୀୟ ଜନତା ପାର୍ଟିର ଅତ୍ୟଧିକ ଧର୍ମଭିତ୍ତିକ ବିଭାଜନ ରାଜନୀତିର ଉତ୍ତରରେ ହନୁମାନ ମନ୍ଦିରରେ ପୂଜା କରିବା, ହନୁମାନ ଚାଳିଶା ପାଠ କରିବା ଏବଂ ଜୟ ଶ୍ରୀରାମ ଧ୍ବନିକୁ ଜୟ ବଜରଙ୍ଗବାଲୀ ସ୍ଲୋଗାନ ସହିତ ଜବାବ ଦେବା, ତାଙ୍କର ବିଜୟ ଫର୍ମୁଲାର ପ୍ରମୁଖ ଅଙ୍ଗ ଥିଲା।

ଅନ୍ୟ ପକ୍ଷରେ ଭାରତୀୟ ଜନତାପାର୍ଟିର ଘୃଣା, ଗାଳି ଓ ଗୁଳିର ରାଜନୀତି, ଅତ୍ୟଧିକ ସାଂପ୍ରଦାୟିକ ପ୍ରଚାର,  କେଜରିୱାଲଙ୍କୁ ଦିଲ୍ଲୀ ବାହାରର ଲୋକ କହିବା ଓ ଆତଙ୍କବାଦୀ ଆଖ୍ୟା ଦେବା ଆଦିକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀ ସାରା ବାହାର ପ୍ରଦେଶରୁ ଆସିଥିବା ବିଜେପି ନେତା ଓ ମାଳମାଳ କେନ୍ଦ୍ରମନ୍ତ୍ରୀ ଛାଇ ହୋଇଯିବା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଘମାଘୋଟ ପ୍ରଚାର ଏନ୍‌ଡିଏ ପାଇଁ ବୁମେରାଂ ହୋଇଥିଲା। ଆପ୍‌ର ଆସନ ସଂଖ୍ୟା ଗତଥରଠାରୁ ୫ ଖସି ୬୨ରେ ସୀମିତ ରହିଥିବାବେଳେ ବିଜେପିର  ଆସନ ସଂଖ୍ୟା ୫ ବଢ଼ିଛି। ଏବେ ୮ଟି ଆସନ ଲାଭ କରିଥିବାରୁ ଏବଂ ୧୦%ରୁ ଊର୍ଦ୍ଧ୍ବ ସ୍ଥାନ ଗ୍ରହଣ କରିଥିବାରୁ ବିଜେପି ବିଧାନସଭାରେ ବିରୋଧୀଦଳର ମାନ୍ୟତାଲାଭ କରିବ। ଏହାର ନେତା କ୍ୟାବିନେଟ ପାହ୍ୟାର ମର୍ୟ୍ୟାଦା ହାସଲ କରିବେ।

ବିପୁଳ ବିଜୟ ସତ୍ତ୍ବେ ଏବେବି କେଜରିୱାଲଙ୍କ ସାମ୍‌ନାରେ ବହୁ ମୁସ୍‌କିଲ ଓ ମୁକାବିଲାର ଭଣ୍ଡାର ମହଜୁଦ ରହିଛି। ପ୍ରଥମରେ ସାହିନ୍‌ବାଗରୁ ନାଗରିକ ସଂଶୋଧନ ଆଇନ ବିରୋଧୀ ବିକ୍ଷୋଭକାରୀଙ୍କୁ ହଟାଇ ରାସ୍ତା ସଫା କରିବା ଏବଂ ଦ୍ବିତୀୟରେ ଦିଲ୍ଲୀ ପାଇଁ ସଂପୂର୍ଣ୍ଣ ରାଜ୍ୟର ମାନ୍ୟତା ହାସଲ କରିବା। ତୃତୀୟରେ ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ ବର୍ତ୍ତମାନ କେନ୍ଦ୍ରସରକାରଙ୍କ ଅଧୀନରେ ରହିଥିବାରୁ ଜାତୀୟ ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟନ୍ତ୍ରଣ ଏବଂ ଭୂତଳ ବିକାଶ ନେଇ ଉତ୍ପନ୍ନ ସମସ୍ୟା ପୂର୍ବପରି ବଜାୟ ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ୧୯୯୮ ମସିହାରୁ ୨୦୧୩ ମସିହା ପର୍ୟ୍ୟନ୍ତ ତାଙ୍କର ୧୫ ବର୍ଷର ଶାସନ ମଧ୍ୟରେ କେନ୍ଦ୍ରର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜ‌େ‌ପୟୀ ଓ ମନମୋହନ ସିଂହଙ୍କ ସରକାରର ଘନିଷ୍ଠ ସହଯୋଗ କ୍ରମେ ଦିଲ୍ଲୀରେ ରାସ୍ତା ଘାଟ, ଗଣ୍ଡାଗଣ୍ଡା ଫ୍ଲାଇଓଭର, ନିଅନ ଆଲୋକ,ପାର୍କ, କମନ୍‌ୱେଲଥ୍‌ ଗେମ୍‌ ପାଇଁ ବହୁ ଷ୍ଟାଡିୟମ ନିର୍ମାଣ କରି ରାଜଧାନୀର ସୌନ୍ଦର୍ୟ୍ୟକୁ ବହୁ ଭାବରେ ବୃଦ୍ଧି କରିପାରିଥିଲେ। କେଜ୍‌ରିୱାଲଙ୍କ ସାମ୍‌ନାରେ ଚତୁର୍ଥ ପ୍ରତିବନ୍ଧକ ହେଲା ୨୦୧୫ରେ ଦିଆଯାଇଥିବା ଅପୂରଣ ପ୍ରତିଶ୍ରୁତି। ଏଗୁଡ଼ିକ ହେଲା ଦିଲ୍ଲୀର କୋଣଅନୁକୋଣରେ ୧୫ଲକ୍ଷ ସିସିଟିଭି କ୍ୟାମେରା ଲଗାଯିବା, ୨୦ଟି ଡିଗ୍ରୀ କଲେଜ ୫୦୦ଟି ସ୍କୁଲ ଖୋଲାଯିବା, ୧୧ହଜାର ହଟସ୍ପଟ ସହିତ ସମଗ୍ର ଦିଲ୍ଲୀରେ ନିଶୁଳ୍କ ୱାଇଫାଇ ଉପଲବ୍ଧ କରାଯିବା। ୯୦୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନା ସାଂଗକୁ ଡାକ୍ତରଖାନାର ବିଛଣା ସଂଖ୍ୟାକୁ ୩୦ହଜାରକୁ ବୃଦ୍ଧି କରାଯିବା ଏବଂ ଜନଲୋକପାଳ ନିଯୁକ୍ତ କରାଯିବା। ଏସବୁ ପ୍ରତିଶ୍ରୁତି ଚଳିତ ପର୍ୟ୍ୟାୟରେ ନୂଆସରକାର କାର୍ୟ୍ୟାନ୍ବୟନ କରିବେ ବୋଲି ଲୋକେ ଭରସା ରଖିଛନ୍ତି।

ଏହାସହିତ କେଜ୍‌ରିୱାଲଙ୍କର ତୃତୀୟ ଦଫାର ସରକାର ଆଗରେ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ଦିଲ୍ଲୀର ବିପଜ୍ଜନକ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା, ଭୂତଳ ବିକାଶ ଉପରେ ପ୍ରାଧାନ୍ୟଦେବା, ସାଧାରଣ ଯାତାୟାତ ବ୍ୟବସ୍ଥାକୁ ବିଶ୍ବସ୍ତରୀୟ କରିବା, ଟ୍ରାଫିକ ପ୍ରଣାଳୀକୁ ଅଧିକ ସହଜ ଓ ଯାତ୍ରୀ ସହଯୋଗ କରିବା, ଯମୁନା ନଦୀକୁୁ ସଫା କରିବା, ୬ଲକ୍ଷ ନୂଆ ଚାକିରି ସୃଷ୍ଟି କରିବା ଏବଂ ସମସ୍ତ ୬୫୦ଟି ଝୁଗି ଝୋପଡ଼ି କଲୋନୀକୁ ବିଶୁଦ୍ଧ ପାଇପଲାଇନ ପିଇବା ପାଣି ଯୋଗାଇଦେବା ଆଦି ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି। ନିଜର ପୁରୁଣା ମନ୍ତ୍ରିମଣ୍ଡଳକୁ ଦୋହରାଇ, ସରକାରରେ ନୂଆ ମୁହଁକୁ ସାମିଲ ନକରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କର ଶୁଭଙ୍କର କ୍ୟାବିନେଟ ଟିମ୍‌କୁ ଆଉ ଥରେ ସେବା ଓ କରିସ୍ମା କରିବାର ସୁ​‌େ​‌ଯାଗ ଦେବା ସାଙ୍ଗକୁ ନିଜର ତୃତୀୟ ଇନିଂସକୁ ଖୁବ ବିନୟୀ ଭାବନାରୁ ଆରମ୍ଭ କରିଥିବା ଦର୍ଶାଯାଉଛି। ତେବେ ଦିଲ୍ଲୀରେ କେଜରିୱାଲଙ୍କ ସିଂହାସନ ଆରୋହଣ ପରେ ତାଙ୍କ ଉପରେ ସାରା ଦେଶରୁ  ଆଶୀର୍ବାଦ ମିଳିଛି। ସେ ମୋଦୀଙ୍କର ଅସଲ ବିକଳ୍ପ ବୋଲି ସାଧାରଣରେ ଚିତ୍ରଣ କରାଯାଉଛି। ଆକୁମାରୀ ହିମାଚଳରେ ଦିଲ୍ଲୀର ବିକାଶ ମଡେଲର ଯେଭଳି ପ୍ରଶସ୍ତିଗାନ ଚାଲିଛି, କେଜରିୱାଲଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତି ସାରା ଦେଶରେ ଯେଉଁଭଳି ବ୍ୟାପକ ଭାବେ ଗ୍ରହଣୀୟ ହୋଇଛି, କ୍ରମାଗତ ଭାବରେ ତିନି ତିନିଥର ଦିଲ୍ଲୀ ଶାସନଭାର ଗ୍ରହଣ କରିବାପରେ ଅନ୍ୟାନ୍ୟ ରାଜ୍ୟକୁ ଯିବା ପାଇଁ ଆମ୍‌ଆଦ୍‌ମି ପାର୍ଟି ସାମ୍‌ନାରେ ଯେଉଁ ପ୍ରଚୁର ସମ୍ଭାବନାର କ୍ଷେତ୍ର ସୃଷ୍ଟି ହୋଇଛି। ସର୍ବଶେଷରେ ଅରବିନ୍ଦ କେଜରିୱାଲ, ଏହାପରେ ଜାତୀୟ ରାଜନୀତିରେ ପାଦ ଦେବେକି ? ୨୦୨୪ ମସିହା ସାଧାରଣ ନିର୍ବାଚନରେ ସେ ଏନଡିଏ ଓ ନରେନ୍ଦ୍ରମୋଦୀଙ୍କ ବିରୋଧରେ ଧର୍ମନିରପେକ୍ଷ ମୋର୍ଚ୍ଚାର ନେତୃତ୍ବ ନେବେକି? ଆଜି ଜନମାନସରେ ଉଙ୍କି ମାରୁଥିବା ଏହି ପ୍ରସଙ୍ଗ ଓ ପ୍ରଶ୍ନଗୁଡ଼ିକର ସଠିକ୍‌ ଉତ୍ତର ସମୟ ହିଁ ଦେଇ ପାରିବ ବୋଲି ଆଶା କରାଯାଉଛି।

Comments are closed.