ନୃଶଂସ କାଣ୍ଡ, ୪ବର୍ଷର ଶିଶୁକୁ କଚାଡ଼ି ମାରିଲା ଯୁବକ

ଅମ୍ବାଭୋନା: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ବେନିଆଁପାଲି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଗାଁ’ ଦାଣ୍ଡରେ ଖେଳୁଥିବା ଚାରି ବର୍ଷ ବୟସର ଏକ ନିଷ୍ପାପ ଶିଶୁକୁ ଜଣେ ଉଦଭ୍ରାନ୍ତ ଯୁବକ କଂସ ପରି କଚାଡ଼ି ହତ୍ୟା କରିଛି। ସୂଚନା ଅନୁସାରେ ବେନିଆଁପାଲି ଗ୍ରାମର ଅଲେଖପୁର ପଡ଼ାରେ ଶ୍ରଦ୍ଧାକର ଭୋଇଙ୍କ ଚାରି ବର୍ଷର ପୁଅ ବିରାଟ ତା’ର ସାଙ୍ଗମାନଙ୍କ ସହ ଗାଁଁ’ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ସେଇ ଗ୍ରାମର ବିଜିତ ଭୋଇ ନାମକ ଜଣେ ଯୁବକ ସେଠାରେ ପହଞ୍ଚି ତାକୁ ଅଚାନକ ଟେକି ନେଇ କଚାଡ଼ି ଦେଇଥିଲା। କେହି କିଛି ଭାବିବା ପୂର୍ବରୁ ଆଖିପିଛୁଳାକେ ଘଟଣାଟି ଘଟିଯାଇଥିଲା।

ଏହି ଅଭାବନୀୟ ଘଟଣା ଦେଖି ଆଖପାଖରେ ଥିବା ଲେକେ ସ୍ତବ୍ଧ ହୋଇଯାଇଥିଲେ। ପରେ ଶିଶୁର ପରିବାର ଲୋକେ ଏବଂ ଗ୍ରାମବାସୀ ବିରାଟକୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ଼ ଏବଂ ତା’ପରେ ବୁର୍ଲା ମେଡ଼ିକାଲକୁ ନେଇଥିଲେ, ମାତ୍ର ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାକୁ ନେଇ ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଅଭିଯୁକ୍ତ ବିଜିତକୁ ଉତ୍ତମମଧ୍ୟମ ଦେଇ ପୁଲିସ ଜିମାରେ ଦେଇଥିଲେ। ଅଭିଯୁୁକ୍ତର ମାନସିକ ବିକୃତି ଥିବା ଗ୍ରାମବାସୀ କହୁଛନ୍ତି। ପୁଲିସ ଅଭିଯୁକ୍ତକୁ ଥାନାରେ ରଖି ତଦନ୍ତ ଜାରି ରଖିଛି।

Comments are closed.