ବିକାଶର ପାଦ ଚିହ୍ନ ପଡିନଥିବା ଗାଁ ଗୁଞ୍ଜିଗୁଡା

କଲମପୁର: ଗାଁର ଚାରି ପାଖରେ ଘୁମାଟିକରା ଓ କୁଟୃପାଟ ପାହାଡ ଘେରି ରହିଛି। କୌଣସି ଦିଗରେ ନାହିଁ ରାସ୍ତାର ସୁବିଧା। ଏହି ଜନ ବସତି ସତେ ଯେମିତି ଏକ କୁଅ ଭିତରେ ଗଢି ଉଠିଛି। ଏପରିକି ଗାଁ ଲୋକ ଜାଣନ୍ତି ନାହିଁ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟ କେଉଁଠି? କାଣିଗୁମା ପଂଚାୟତ ରେ ସେମାନେ ପୂର୍ବରୁ ସାମିଲ ଥିଲେ। ଯାହା ଗାଁ ଠାରୁ ଦୀର୍ଘ ୨୦ କିଲୋମିଟର ଦୂରରୁ ଅଧିକ ହେବ। କିନ୍ତୁ ଗାଁ ଲୋକଙ୍କ ସୁବିଧା ଓ ଦାବି କାରଣରୁ କିଛି ଦିନ ପୂର୍ବରୁ ଗୋପାଳପୁର ପଂଚାୟତ ମାଧ୍ୟମରେ ଚାଉଳ, କିରୋସିନି ଆଦି ରାସନ ସାମଗ୍ରୀ ପ୍ରଦାନ କରାଯାଉଥିଲା କିନ୍ତୁ ଅନେକ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଆଦି ବହୁ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନାରୁ ପାଉଥିବା ସହାୟତା କାଣିଗୁମା ପଂଚାୟତ ମାଧ୍ୟମରେ ପ୍ରାପ୍ତ ହେଇଥାନ୍ତି। ପରିତାପର ବିଷୟ ସ୍ୱାଧୀନତାର ଦୀର୍ଘ ଦଶନ୍ଧି ବିତି ସାରିଥିଲେ ମଧ୍ୟ ଏହି ଗାଁର କେହି ହିତାଧିକାରୀ ସରକାରଙ୍କ ଆବାସ ଯୋଜନାରେ ସାମିଲ ହେଇ ପାରିନାହାଁନ୍ତି। ଏଭଳି ଏକ ଗାଁ ହେଉଛି କଳାହାଣ୍ଡି ଜିଲା ଦୁର୍ଘମ କ୍ଷେତ୍ର ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୁଞ୍ଜିଗୁଡା।

ଗାଁ ଲୋକ ଜାଣନ୍ତି ନାହିଁ ସେମାନଙ୍କ ପଂଚାୟତ କେଉଁଠି? ଗମନା ଗମନ ମୁଖ୍ୟ ସମସ୍ୟା। ଗାଁ ରେ କେହି ନାହାଁନ୍ତି ଆବାସ ଯୋଜନା ହିତାଧିକାରୀ, ଅନ୍ତ ହେଉ ନାହିଁ ଜଳ କଷ୍ଟ। ଗାଁ ଚାରି ପାଖରେ କେବଳ ପାହାଡ ହିଁ ପାହାଡ। ସ୍ୱଚ୍ଛ ଭାରତ କେବଳ ସ୍ବପ୍ନ ସେମାନଙ୍କ ପାଇଁ।

୭ ଗୋଟି ଗଉଡ ଓ ୧୦ ଗୋଟି ଆଦିବାସୀ ପରିବାରକୁ ନେଇ ଗଠିତ ଏହି ଗାଁ। ଏକ ଶହରୁ ଅଧିକ ଏହି ଗାଁର ଜନ ସଂଖ୍ୟା। ବାପ ଦାଦି ଦିନରୁ ପ୍ରାୟ ୪ ପିଢିରୁ ଅଧିକ ଦିନରୁ ଏହି ଗାଁରେ ଲୋକ ବସବାସ କରି ଆଶୁଛନ୍ତି। କୁଟୃପାଟ ଓ ଘୁମାଟିକରା ଜଙ୍ଗଲରୁ ସେମାନେ ଶଷ୍ୟ ଉତ୍ପାଦିତ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଏମାନେ ସମସ୍ତେ ଶ୍ରମଜିବୀ। ପର ଘରେ ମୂଲ ଲାଗିଲେ ଘର ର ଚୁଲି ଜଳେ। ସରକାରଙ୍କ ଯୋଜନା ଏଗାଁ ପାଇଁ ଅପହଂଚ। ନିର୍ବାଚନ ଆସିଲେ କିଛି କର୍ମୀ ଏମାନଙ୍କୁ ସୁନେଲି ଭବିଷ୍ୟତ ଦେଖାଇ ତାଙ୍କ ଭୋଟ ଖଣ୍ଡକ ହାତେଇ ନିଅନ୍ତି। କିନ୍ତୁ ପରବର୍ତି ସମୟରେ ସେମାନଙ୍କ ଦେଖା ମିଳିନଥାଏ। ସେମାନେ ନିଜ ଭାଗ୍ୟ ଆଦରି ରହି ଆସୁଛନ୍ତି। ଜୀବନ ଧାରଣ ପାଇଁ ବାସ ଗୃହର ଆବଶ୍ୟକ ଯିଏ ଶିତ ବର୍ଷା ଓ ଖରାରୁ ସୁରକ୍ଷା ଦେବ।

ଗାଁ ଲୋକଙ୍କ ବାସ ଉପଯୋଗୀ ଜମି ରହିଛି କିନ୍ତୁ ବାସ ଗୃହ ନିର୍ମାଣ କରିବାର ସାମର୍ଥ୍ୟ ନଥିବାରୁ ଝାଟି ମାଟି କୁଡିଆରେ ଦୁସ୍ଥ ଜୀବନ ଜିଇଁ ଆସୁଛନ୍ତି। କେହି ହିତାଧିକାରୀ ସାମିଲ ହେଇ ପାରିନାହାଁନ୍ତି ସରକାରଙ୍କ ଆବାସ ଯୋଜନାରେ। ଗାଁରେ ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଶିଶୁ ଥିଲେ ମଧ୍ୟ ସେମାନଙ୍କ ପାଇଁ ନାହିଁ ବିଦ୍ୟାଳୟର ବ୍ୟବସ୍ଥା ନାହିଁ ଅଙ୍ଗନବାଡି କେନ୍ଦ୍ରର ସୁବିଧା। ଶିଶୁ ମାନେ ପୁଷ୍ଟିକର ଖାଦ୍ୟରୁ ବଂଚିତ। ସ୍ୱାସ୍ଥ୍ୟ ସେବା ନକହିବା ଭଲ। ସାଧାରଣ ଜ୍ୱର ହେଲେ ଲୋକେ ଠୁଣୁ ଠୁଣୁକିଆ ପାଇଁ ନିକଟସ୍ତ ବୈଦ ଉପରେ ଭରସା କରୁଥିବା ବେଲେ ଆଉ କିଛି ଲୋକ କ୍ୱାକ କୁ ଭରସା କରନ୍ତି। ପାହାଡ ଡେଇଁ କ୍ୱାକ ଜଣକ ଗାଁରେ ପହଂଚିବା ବେଳକୁ ବିଳମ୍ବ ହେଇଯାଏ। ଗୁରୁତର ରୋଗୀଙ୍କୁ ବଂଚାଇବା କଷ୍ଟସାଧ୍ୟ ହେଇ ପଡେ। ରାସ୍ତା ନଥିବାରୁ କୌଣସି ଯାନ ବାହନ ଚଳା ଚଳ ସୁବିଧା ନଥିବାରୁ ଖଟିଆ ହେଉଛି ଏହି ଗାଁ ଲୋକଙ୍କ ଆମ୍ବୁଲେନ୍ସ।

ଦୀର୍ଘ ୩ କିଲୋମିଟର ପାହାଡର ପାଦ ଚଲା ରାସ୍ତାରେ ଆସିବା ପରେ ରାସ୍ତା ମିଳେ। ପାନୀୟ ଜଳ କହିଲେ ଝର ପାଣି। ଏକ ପାହାଡରୁ ନିର୍ଗତ ହେଉଥିବା ଏକ ଝରଣା ପାଣିକୁ ଅଟକାଇ ବ୍ୟବହାର କରି ଆସୁଛନ୍ତି। ବର୍ଷାରେ ଗୋଳିଆ ଓ ଦୁଷିତ ପାଣି ପିଇ ଝାଡା ବାନ୍ତି ଭଳି ରୋଗ ସହିତ ମ୍ୟାଲେରିଆ ଭଲି ମରାତ୍ମକ ରୋଗର ଶିକାର ହେଉଥିଲେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି। ତେଣୁ ତୁରନ୍ତ ଏହି ଗାଁ ପାଇଁ ରାସ୍ତାର ବ୍ୟବସ୍ଥା ସହିତ କେଉଁ ପଂଚାୟତ ଅଧିନରେ ରହିଛନ୍ତି ତାହା ଜିଲା ପ୍ରଶାସନ ତରଫରୁ ଧାର୍ଯ୍ୟ କରାଯିବା ପାଇଁ ଗ୍ରାମର ଗଙ୍ଗାଧର ମାଝୀ, ଭାଗିରଥି ମାଝୀ ଓ ଚକ୍ରଧର ଗଉଡ ପ୍ରମୁଖ ଦାବି କରିଛନ୍ତି।

Comments are closed.