ଏଭଳି ଏକ ଗାଁ, ଯେଉଁଠି ରାଖୀ ନାଁ ଶୁଣିଲେ ଶୀତେଇ ଉଠେ ଲୋକଙ୍କ ଦେହ

ଗୋଣ୍ଡା: ଆଉ ମାତ୍ର ୨ ଦିନ ପରେ ରାଖୀ ପୂର୍ଣ୍ଣିମା। ରକ୍ଷାବନ୍ଧନକୁ ଭାଇ-ଭଉଣୀଙ୍କ ସ୍ନେହ, ପ୍ରେମ ଓ ସୁରକ୍ଷା କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାର ପର୍ବ ଭାବେ ପାଳନ କରାଯାଏ। ମାତ୍ର ଗୋଣ୍ଡା ଜିଲାର ଡୁମରିୟାଡିହ ଗ୍ରମାପଞ୍ଚାୟତର ଭୀଖମପୁର ଜଗତପୁରୱାରେ ଏହି ପର୍ବ ପାଳନ କରିବା ତ ଦୂରର କଥା ଏହା ବିଷୟରେ ଆଲୋଚନା କରିବାକୁ ବି କେହି ପସନ୍ଦ କରନ୍ତି ନାହିଁ। ଏହି ପର୍ବର ନାଁ ଶୁଣିଲେ ସେଠାକାର ଲୋକମାନଙ୍କ ଆଖି ଆଗରେ ନାଚିଯାଏ ପୂର୍ବରୁ ଘଟିଥିବା କିଛି ଘଟଣା ଓ ଏହି ପର୍ବଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥାଏ।

ଉତ୍ତରପ୍ରଦେଶର ଗୋଣ୍ଡା ଜିଲା ସ୍ଥିତ ଜଗତପୁରୱାରେ ଏପରି ୨୦ ଘର ଅଛି, ଯେଉଁଠି ପ୍ରାୟ ୨୦୦ ଶିଶୁ, ବୃଦ୍ଧ ଓ ଯୁବକ ଭାଇମାନେ ରକ୍ଷାସୂତ୍ରର ନାଁ ଶୁଣିଲେ ହିଁ ସେମାନଙ୍କ ଦେହ ଶୀତେଇ ଉଠେ। ସ୍ୱାଧୀନତାର ୮ ବର୍ଷ ପରେ ପ୍ରାୟ ୫ ଦଶକରୁ ଅଧିକ ଦିନ ବିତିଯିବା ପରେ ଏଠାକାର ଘରେ ଘରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ନାହାନ୍ତି।ଜଗତପୁରୱାର ଯୁବକମାନଙ୍କ ମନରେ ଏହି ପର୍ବକୁ ନେଇ ଉତ୍ସାହ ଥାଏ ସତ, କିନ୍ତୁ ପୂର୍ବପୁରୁଷଙ୍କ ପରମ୍ପରାକୁ ନ ଭାଙ୍ଗିବାକୁ ସେମାନେ ସ୍ଥିର କରି ନେଇଛନ୍ତି।

ସେଠାକାର ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କ କହିବା କଥା, ଏଠାରେ ଯେବେ ବି ଭଉଣୀମାନେ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧିଛନ୍ତି ସେବେ ନିଶ୍ଚିତ ଏହି ଗାଁରେ କିଛି ନା କିଛି ଅଘଟଣ ଘଟିଛି। ସେଠାକାର ଜଣେ ଗ୍ରାମବାସୀ ସୂର୍ଯ୍ୟନାରାୟଣ ମିଶ୍ରାଙ୍କ କହିବାନୁସାରେ, ସ୍ୱାଧୀନତାର ୮ ବର୍ଷ ପରେ ପ୍ରାୟ ୫ ଦଶକ ପୂର୍ବରୁ(୧୯୫୫) ରକ୍ଷାବନ୍ଧନ ଦିନ ସକାଳେ ତାଙ୍କ ପୂର୍ବପୁରୁଷଙ୍କ କାଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ଏହି ଗାଁରେ ଭଉଣୀମାନେ ନିଜ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁ ନାହାନ୍ତି। ଏକ ଦଶକ ପୂବରୁ ରାଖୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ଆଗ୍ରହକୁ ଦେଖି ରାଖୀ ବନ୍ଧିବାକୁ ନିଷ୍ପତ୍ତି ନିଆଗଲା। ମାତ୍ର ସେଦିନ ମଧ୍ୟ କିଛି ଅଘଟଣ ଘଟିଥିଲା। ଏହାପରଠାରୁୁ ଏହି ଗାଁରେ ରାଖୀ ବାନ୍ଧିବାକୁ କାହାରି ସାହସ ହୋଇନାହିଁ।

ସୂର୍ଯ୍ୟନାରାୟଣ କହିଛନ୍ତି, ରାଖୀ ପୂର୍ଣ୍ଣିମା ଦିନ ଯଦି ଏହି କୁଳରେ କେହି ପିଲା ଜନ୍ମ ହୁଏ, ତେବେ ଯାଇ ଏହି ପର୍ବ ପାଳନ କରାଯିବ। ଯଦିଓ ଜଗତପୁରୱା ଗାଁରେ ରକ୍ଷାବନ୍ଧନ ପାଳନ କରାଯାଏ ନାହିଁ କିନ୍ତୁ ଆଖପାଖ ଗାଁରେ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତି। ରାଖୀପୂର୍ଣ୍ଣିମାରେ ଯଦି ଏହି ୨୦ ଘରର କେହି ବ୍ୟକ୍ତି ଆଖପାଖର କୌଣସି ଗାଁକୁ ଯାଆନ୍ତି, କେବଳ ଜଗତପୁରୱା ନିବାସୀ କହିଲେ ଭଉଣୀମାନେ ରକ୍ଷାସୂତ୍ର ବାନ୍ଧନ୍ତିନାହିଁ।

Comments are closed.