ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବାରୁ ମିଳିଲା ନାହିଁ ପିଏଚଡି ଡିଗ୍ରୀ

ଆଲିଗଡ: ଆଲିଗଡ ମୁସଲିମ ୟୁନିଭରସିଟିର ଜଣେ ପିଏଚଡି ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାରୁ ତାଙ୍କୁ ପିଏଚଡି ଡିଗ୍ରୀ ମିଳିନଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଗତବର୍ଷ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାନିଶ ରହିମ ନାମକ ଏହି ଛାତ୍ର ଜଣକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଗତବର୍ଷ ଡିସେମ୍ବର ୨୨ ତାରିଖରେ ଏହି ଘଟଣା ଘଟିଥିଲା । ପ୍ରଧାନମନ୍ତ୍ରୀ ଆଲିଗଡ ମୁସଲିମ ୟୁନିଭରସିଟିର ୨୦୦ତମ ପ୍ରତିଷ୍ଠା ଦିବସରେ ଭର୍ଚୁଆଲ ପଦ୍ଧତିରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଡାନିଶ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରେ ବିଶ୍ୱବିଦ୍ୟାଳୟ ଭାଷା ବିଭାଗର ଅଧ୍ୟକ୍ଷ ତାଙ୍କୁ ଡକାଇ ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ପ୍ରଶଂସା ନକରିବାକୁ ଚେତାବନୀ ଦେଇଥିଲେ । ଏହା ସେମାନଙ୍କ ସଂସ୍କୃତି ବିରୋଧୀ ବୋଲି ଡାନିଶଙ୍କୁ କୁହାଯାଇଥିଲା । ତାଙ୍କୁ ଏହା ମଧ୍ୟ କୁହାଗଲା ଯେ ଜଣେ ଛାତ୍ର ଭାବରେ ସେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ପ୍ରଶଂସା ଅଥବା ନିନ୍ଦା କରିପାରିବେ ନାହିଁ । ତାଙ୍କ ବିବୃତିରୁ ସେ ଦକ୍ଷିଣ ପନ୍ଥୀ ବୋଲି ମନେ କରାଯାଉଛି ଏବଂ ଏହା ତାଙ୍କୁ ଭବିଷ୍ୟତରେ କ୍ଷତି ପହଞ୍ଚାଇବ । ଡାନିଶ ପିଏଚଡି ଡିଗ୍ରୀ ପାଇଁ ସାକ୍ଷାତକାର ଦେବା ସମୟରେ ତାଙ୍କୁ ଏ ସମ୍ପର୍କରେ କୁହାଯିବା ସହିତ ତାଙ୍କର ପିଏଚଡି ଡିଗ୍ରୀକୁ ଅନୁମୋଦନ କରାଯାଇନଥିଲା । ପରେ ତାଙ୍କୁ ଏଭଳି ଏକ ବିଷୟରେ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିଲା, ଯାହା କୌଣସି ସ୍ଥାନରେ ଗ୍ରହଣଯୋଗ୍ୟ ହେବନାହିଁ । ଏହି ପ୍ରସଙ୍ଗରେ ଡାନିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତ୍ରଲେଖି ନ୍ୟାୟ ମାଗିଛନ୍ତି । ଏହି ଘଟଣା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ କିଛି ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଛି । ତେବେ ଡାନିଶଙ୍କୁ ତାଙ୍କର ମୂଳ ବିଷୟର ପିଏଚଡି ଡିଗ୍ର୍ରୀ ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

Comments are closed.