କୁକୁର ଭୟରେ ନଦୀକୁ ଡେଇଁ ନିଖୋଜ

ପାଟନା: ବିହାରର ଖଗରିଆ ଜିଲାର ଜଣେ ବ୍ୟକ୍ତି କୁକୁର ଭୟରେ ଗଣ୍ଡକ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ପୁଲିସର ସନ୍ଧାନୀ କୁକୁର ତାଙ୍କ ବାପାଙ୍କୁ ଗୋଡାଇବାରୁ ସେ ଭୟରେ ନଦୀକୁ ଡେଇଁ ପଡିଥିଲେ । ତେବେ ତାଙ୍କର ଆଉ ପତ୍ତା ମିଳୁନାହିଁ । ରାମଚନ୍ଦ୍ର ଗ୍ରାମର ବାସିନ୍ଦା ଇଶ୍ୱର ଯାଦବଙ୍କୁ ମଙ୍ଗଳବାର ଦିନ ପୁଲିସ କୁକୁର ଗୋଡାଇଥିଲେ । ଫଳରେ ସେ ଡରରେ ଗଣ୍ଡକ ନଦୀକୁ ଡେଇଁ ପଡିଥିଲେ । ଇଶ୍ୱରଙ୍‍କ ପୁଅ ଗୁଡ୍ଡୁ କୁମାର କହିଛନ୍ତି, ତାଙ୍କ ବାପା ଚାଷ ଜମିରେ କାମ କରୁଥିବାବେଳେ ପୁଲିସ ଅଥବା ଅବକାରୀ ବିଭାଗର ଏକ ଦଳ ସନ୍ଧାନୀ କୁକୁର ଧରି ବେଆଇନ ମଦ ଠାବ କରିବାକୁ ସେଠାରେ ପହଞ୍ଚିଥିଲେ । ସେମାନେ କୁକୁରଙ୍କୁ ଖୋଲା ଛାଡିଦେଇ ମଦ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିନ୍ତୁ ଗୋଟିଏ କୁକୁର ଯେତେବେଳେ ଇଶ୍ୱରଙ୍କ ଆଡକୁ ଦୌଡିଆସିଲା ସେତେବେଳେ ଇଶ୍ୱର ଭୟରେ ଦୌଡିବା ସହିତ ନିକଟରେ ଥିବା ଗଣ୍ଡକ ନଦୀକୁ ଡେଇଁ ପଡିଥିଲେ । ଏବେ ସୁଦ୍ଧା ତାଙ୍କ ବାପାଙ୍କର କୌଣସି ସନ୍ଧାନ ମିଳିନଥିବା ଗୁଡ୍ଡୁ କୁମାର କହିଛନ୍ତି । ପୁଲିସ ବିଭାଗ ତାଙ୍କ ବାପାଙ୍କୁ ମାରିଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ଇଶ୍ୱରଙ୍କ ସନ୍ଧାନ ମିଳିନାହିଁ । ଅନ୍ୟପକ୍ଷରେ ଜିଲା ଆରକ୍ଷୀ ଅଧିକ୍ଷକ ଅମିତେଣ କୁମାର କହିଛନ୍ତି, ଜିଲାରେ ସନ୍ଧାନୀ କୁକୁର ରହନ୍ତିନାହିଁ । ସେମାନେ ତଦନ୍ତପାଇଁ ମୁଖ୍ୟ ଦପ୍ତରରୁ ସନ୍ଧାନୀ କୁକୁର ମଗାଇଥାନ୍ତି । ତେଣୁ କୁକୁର ଭୟରେ ଇଶ୍ୱରଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କରେ ଗୁଡ୍ଡୁ କୁମାର ଯାହା ଅଭିଯୋଗ କରୁଛନ୍ତି, ସେଥିରେ ସତ୍ୟତା ନାହିଁ । ଅବକାରୀ ବିଭାଗର ଅଧୀକ୍ଷକ ବିକାଶ କୁମାର କହିଛନ୍ତି ଯେ, ତାଙ୍କ ଦଳ ମଦ ଜବତ କରିବାକୁ ସେଠାକୁ ଯାଇନଥିଲା ।

Comments are closed.