ପୁରୁଣା ଗାଡ଼ି ଉପରେ ଏଣିକି ଲାଗି ‘ସବୁଜ ଟିକସ’: ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ଯିବ କବାଡ଼ିଖାନା

ନୂଆଦିଲ୍ଲୀ: ଏଣିକି ପୁରୁଣା ଗାଡ଼ି ଉପରେ ଲାଗିବ ସବୁଜ ଟିକସ ଅର୍ଥାତ୍ ‘ଗ୍ରୀନ ଟ୍ୟାକ୍ସ’ । ପ୍ରଥମ ପର୍ଯ୍ୟାୟରେ ୮ ବର୍ଷରୁ ଊର୍ଧ୍ବ ପରିବହନ ଓ ବ୍ୟବସାୟିକ ଯାନ ଉପରେ ଏହି ଟିକସ ଲାଗିବାକୁ ଯୋଜନା କରାଯାଇଛି । ଘରୋଇ ଯାନ କ୍ଷେତ୍ରରେ ଏହାକୁ ୧୫ ବର୍ଷ କରାଯିବ ଓ ପଞ୍ଜୀକରଣ ନବୀକରଣ ବେଳେ ଏଥିପାଇଁ ଟିକସ ଆଦାୟ ହେବ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅନୁମୋଦନ କରିଛନ୍ତି । ଆନୁଷ୍ଠାନିକ ଭାବରେ ଖୁବ୍ ଶୀଘ୍ର ଏହା ରାଜ୍ୟଗୁଡ଼ିକୁ ସୂଚନା ଦିଆଯିବ । ସେହିପରି ୧୫ ବର୍ଷରୁ ଅଧିକ ସରକାରୀ ଗାଡ଼ିଗୁଡ଼ିକୁ କବାଡ଼ିଖାନା ପଠାଯିବା ଅର୍ଥାତ୍ ଏହାକୁ ଆଉ ବ୍ୟବହାର ନ କରିବା ସଂକ୍ରାନ୍ତ ଆଉ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଥିବା ମଧ୍ୟ ସୂଚନା ମିଳିଛି । ୨୦୨୨ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ ।

ମିଳିଥିବା ସୂଚନା ଅନୁସାରେ ୮ ବର୍ଷରୁ ଅଧିକ ବର୍ଷର ପରିବହନ ଯାନର ଫିଟନେସ ସାର୍ଟିଫିକେଟ ନବୀକରଣ ସମୟରେ ମୋଟ ସଡ଼କ ଟିକସର ୧୦%ରୁ ୨୫% ପର୍ଯ୍ୟନ୍ତ ‘ଗ୍ରୀନ ଟ୍ୟାକ୍ସ’ ଆଦାୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଘରୋଇ ଯାନ କ୍ଷେତ୍ରରେ ଏହି ଟିକସ ୧୫ ବର୍ଷ ପରେ ପଞ୍ଜୀକରଣ ନବୀକରଣ ସମୟରେ ଆଦାୟ ହେବ ଓ ଏହାର ପରିମାଣ ମଧ୍ୟ ଅନୁରୂପ ଭାବରେ ୧୦%ରୁ ୨୫% ପର୍ଯ୍ୟନ୍ତ ରଖାଯିବ ।

ତେବେ ହାଇବ୍ରିଡ଼, ବିଦ୍ୟୁତ୍, ସିଏନଜି, ଇଥାନଲ, ଏଲପିଜି ପରି ବିକଳ୍ପ ଇନ୍ଧନ ବ୍ୟବହାର କରୁଥିବା ଯାନଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି । ଏହି ଗାଡ଼ିଗୁଡ଼ିକଠାରୁ କୌଣସି ‘ସବୁଜ ଟିକସ’ ଆଦାୟ ହେବ ନାହିଁ । ତେବେ ଜନସାଧାରଣଙ୍କ ପରିବହନ କ୍ଷେତ୍ରରେ ବ୍ୟବହାର ହେଉଥିବା ଯାନଗୁଡ଼ିକଠାରୁ ସର୍ବନିମ୍ନ ‘ସବୁଜ ଟିକସ’ ଆଦାୟ ଲକ୍ଷ୍ୟ ରଖାଯାଇଛି । ସେହିପରି ପେଟ୍ରୋଲ ଓ ଡ଼ିଜେଲ ଇନ୍ଧନ ଅନୁସାରେ ଟିକସ ଅନୁପାତ ମଧ୍ୟ ନିର୍ଭର କରିବ ।

ଏ ବାବଦରେ ଆଦାୟ ହେଉଥିବା ‘ସବୁଜ ଟିକସ’କୁ ଏକ ପୃଥକ୍ ଆକାଉଣ୍ଟରେ ରଖାଯିବ ଏବଂ ପ୍ରଦୂଷଣ ମୁକାବିଲା ତଥା ମନିଟରିଂ ନିମନ୍ତେ ଏହାକୁ ବ୍ୟବହାର କରାଯିବ । ଏହା ସହ ଅଧିକ ପ୍ରଦୂଷଣ କରୁଥିବା ଯାନ ବ୍ୟବହାରକୁ ନିରୁତ୍ସାହିତ କରିବା ଓ କମ୍ ପ୍ରଦୂଷଣ କରୁଥିବା ଯାନ ବ୍ୟବହାରକୁ ଉତ୍ସାହିତ କରିବାକୁ ଯୋଜନା ପ୍ରସ୍ତୁତ ହେବ ।

Comments are closed.