ବିହାରରେ ୮୭ ଡାକ୍ତର କରୋନା ଆକ୍ରାନ୍ତ

ପାଟନା: ବିହାରରେ ୮୭ ଜଣ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସପିଟାଲ (ଏନଏମସିଏଚ)ର ଏହି ଡାକ୍ତରଙ୍କର ନମୁନା ପରୀକ୍ଷାରୁ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ପାଟନା ଜିଲା ମାଜିଷ୍ଟ୍ରେଟଙ୍କ ସୂତ୍ରରୁ କୁହାଯାଇଛି ଯେ ଚିହ୍ନଟ ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣବିହୀନ ହୋଇଥିବାବେଳେ ଆଉ କେତେକଙ୍କ ନିକଟରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା । ସମସ୍ତେ ହସପିଟାଲ ପରିସରରେ ସଂଗରୋଧରେ ରହିଛନ୍ତି । ଜଣାଯାଇଛି ଯେ ଏନଏମସିଏଚର ଅନେକ କନିଷ୍ଠ ଡାକ୍ତର ଇଣ୍ଡିଆ ମେଡିକାଲ ଆସୋସିଏସନ (ଆଇଏମଏ) ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଗତ ସପ୍ତାହରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ତାହା ପୂର୍ବରୁ ଶନିବାର ଦିନ ପାଟନାସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାର ଦୁଇ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଇଏମଏ ସୂତ୍ରରୁ କୁହାଯାଇଛି ଯେ କୋଭିଡର ଦ୍ୱିତୀୟ ଲହର ସମୟରେ ଦେଶରେ ସର୍ବାଧିକ ସଂଖ୍ୟାରେ ଡାକ୍ତର କରୋନା ଆକ୍ରାନ୍ତ ହେବା ଏବଂ ସେଥିରେ ମୃତ୍ୟୁ ଘଟିବା କ୍ଷେତ୍ରରେ ବିହାର ରହିଛି ।

Comments are closed.