ତାଲିବାନ ଦଖଲରେ ଆଫଗାନିସ୍ତାନର ୮୫% ଅଞ୍ଚଳ

ମସ୍କୋ: ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ ବୋଲି ଶୁକ୍ରବାର ଦିନ କୁହାଯାଇଛି । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ଚାଲିଥିବାବେଳେ ତାଲିବାନ ଦେଶର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଦଖଲ କରିବାରେ ଲାଗିଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ ଏହାର ଯୋଦ୍ଧାମାନେ ସୀମାନ୍ତ ହସର ଇସଲାମ କାଲାକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏହାଦ୍ୱାରା ସେମାନେ ଇରାନ ସୀମାନ୍ତରୁ ଚୀନ ସୀମାନ୍ତ ପର୍ଯ୍ୟନ୍ତ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିପାରିଛନ୍ତି ।
ତାଲିବାନର ଏକ ପ୍ରତିନିଧି ଦଳ ସଂପ୍ରତି ମସ୍କୋ ଗସ୍ତରେ ଯାଇଥିବାବେଳେ ସେମାନେ କହିଛନ୍ତି ଯେ ଆଫଗାନିସ୍ତାନର ୩୯୮ ଜିଲା ମଧ୍ୟରୁ ସେମାନଙ୍କ କବଳରେ ସଂପ୍ରତି ପ୍ରାୟ ୨୫୦ ଜିଲା ରହିଛି । ତାଲିବାନର ଜଣେ ମୁଖପାତ୍ର ଜବିହ୍‍ଉଲ୍ଲା ମୁଜାହିଦ କହିଛନ୍ତି, ଇସଲାମ କାଲା ସୀମାନ୍ତ ପଥ ସେମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଅନ୍ୟପକ୍ଷରେ କାବୁଲସ୍ଥିତ ସରକାରୀ ଅଧିକାରୀ କହିଛନ୍ତି, ତାଲିବାନକୁ ସେଠାରୁ ହଟାଇବାକୁ ଲଢେଇ ଜାରି ରହିଛି । ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ତାରିକ ଆରିଆନ୍‍ କହିଛନ୍ତି, ଉକ୍ତ ଅଞ୍ଚଳରେ ଆଫଗାନିସ୍ତାନର ସୀମାନ୍ତ ୟୁନିଟ ସହିତ ଦେଶର ସମସ୍ତ ନିରାପତ୍ତା ବାହିନୀ ସେଠାରେ ଅଛନ୍ତି ଏବଂ ଉକ୍ତ ଅଞ୍ଚଳକୁ ପୁନଃ ଦଖଲ କରିବା ପ୍ରୟାସ ଚାଲିଛି ।
ଏହାର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ, ଆଫଗାନିସ୍ତାନରେ ଆମେରିକାର ଅଭିଯାନ ଆଗାମୀ ଅଗଷ୍ଟ ୩୧ରେ ଶେଷ ହେବ । ଆମେରିକା ପକ୍ଷର୍ରୁ ପ୍ରାୟ ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡିବ । କିନ୍ତୁ କାବୁଲ ନିକଟରେ ସମଗ୍ର ଦେଶର ନିୟନ୍ତ୍ରଣ ରହିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି । ଆମେରିକାର ଆଉ ଏକ ପିଢିକୁ ସେ ଆଫଗାନିସ୍ତାନ ପଠାଇବେ ନାହିଁ ବୋଲି ବାଇଡେନ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନ ଜନସାଧାରଣ ସେମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବେ, କିନ୍ତୁ ଦେଶରେ ଅନିଶ୍ଚିତ ପରିସ୍ଥିତି ରହିବା ବିଷୟକୁ ସେ ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ଆଫଗାନ ରାଷ୍ଟ୍ରପତି ଆଶରଫ ଘନି କହିଛନ୍ତି ଯେ ତାଙ୍କ ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବେ, ତେବେ ଆଗକୁ ଜଟିଳ ପରିସ୍ଥିତି ଆସୁଥିବା ସେ ମଧ୍ୟ ମାନିଛନ୍ତି । ସୂଚନାଯୋଗ୍ୟ ଯେ ଗତ ସପ୍ତାହକ ମଧ୍ୟରେ ୧ହଜାରରୁ ଅଧିକ ଆଫଗାନିସ୍ତାନ ସୈନ୍ୟ ତାଲିବାନ ଭୟରେ ତାଜିକିସ୍ତାନକୁ ଚାଲିଯାଇଥିବା ଜଣାଯାଇଛି ।

Comments are closed.