“ଜଳ ଜୀବନ ଅଭିଯାନ” (ହର ଘର ଜଲ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  “ଜଳ ଜୀବନ ଅଭିଯାନ” ମାଧ୍ୟମରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପାଇପ ଯୋଗେ ପ୍ରତ୍ୟେକ ପରିବାରଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଜଳ ନିୟମିତ ତଥା ଦୀର୍ଘକାଳୀନ ଭିତ୍ତିରେ ଯୋଗାଇ ଦେବାଲାଗି ସରକାର ଏହି ଯୋଜନା ରୂପାୟନ କରୁଛନ୍ତି । ସହଭାଗୀ ସଂଘୀୟ ବ୍ୟବସ୍ଥାର ଭାବଧାରାକୁ ବାସ୍ତବ ଭାବେ କାର୍ଯ୍ୟକାରୀ କରି ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମକୁ ନିଜ ନିଜ ରାଜ୍ୟରେ ପ୍ରବର୍ତ୍ତନ କରୁଛନ୍ତି । ସେହି କ୍ରମରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ରୂପାୟନ ସକାଶେ କେନ୍ଦ୍ର ସରକାର “ଜଳ ଜୀବନ ଅଭିଯାନ” (ହର ଘର ଜଲ) ଅଧୀନରେ ୮୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ମିଶନ ପାଇଁ ମୋଟ ୩.୬୦ ଲକ୍ଷ କୋଟି ଟଙ୍କାର ଯୋଜନା ଅଟକଳ କରାଯାଇଛି ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୨.୦୮ ଲକ୍ଷ କୋଟି ଟଙ୍କା ଏବଂ ୧.୫୨ ଲକ୍ଷ କୋଟି ଟଙ୍କା ବ୍ୟୟଭାର ବହନ କରିବେ । ଏହା ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ ଯାହାକି ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଘଟାଇବ । ସେମାନଙ୍କ ଜୀବନ ଧାରଣକୁ ମଧ୍ୟ ଏହା ସହଜସାଧ୍ୟ କରିବ । ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାଧ୍ୟମରେ ୫୫ ଏଲପିସିଡ଼ି ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ନିୟମିତ ତଥା ଦୀର୍ଘକାଳୀନ ଭିତ୍ତିରେ ଯୋଗାଇ ଦିଆଯିବ ।

ଓଡିଶା ସରକାର ତାଙ୍କର ଏ ସଂପର୍କୀତ ବାର୍ଷିକ କାର୍ୟ୍ୟ ଯୋଜନା ଜାତୀୟ କମିଟି ନିକଟରେ ଉପସ୍ଥାପନ କରିଥିଲେ । ଏହି କମିଟି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ସଚିବଙ୍କ ନେତୃତ୍ୱରେ ପରିଚାଳିତ । ୨୦୨୦-୨୧ ବର୍ଷ ପାଇଁ ଏହି ଅର୍ଥ ମଞ୍ଜୁର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେଣୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ୟ୍ୟକାରୀ କରିବା ନିମନ୍ତେ ଭାରତ ସରକାର ୮୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗତବର୍ଷ ଏଥିପାଇଁ କେନ୍ଦ୍ର ସରକାର ୨୯୭ କୋଟି ଟଙ୍କା ଯୋଗାଇ ଦେଇଥିଲେ । କିନ୍ତୁ ଚଳିତ ବର୍ଷର ଅର୍ଥ ପରିମାଣ ଗତ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ । ରାଜ୍ୟରେ ଥିବା ମୋଟ ୮୧ ଲକ୍ଷ ପରିବାରଙ୍କ ମଧ୍ୟରୁ ରାଜ୍ୟ ସରକାର ୨୦୨୦-୨୧ରେ ୧୬.୨୧ ଲକ୍ଷ ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି । ୨୦୨୪ ସୁଦ୍ଧା ରାଜ୍ୟର ୧୦୦% ପରିବାରଙ୍କ ନିକଟରେ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି । ତେବେ ଜଳକ୍ଳିଷ୍ଟ ଗ୍ରାମମାନଙ୍କରେ ଏହି ଯୋଜନା ପ୍ରଥମେ କାର୍ୟ୍ୟକାରୀ କରିବା ଲାଗି ଅଗ୍ରାଧିକାର ପ୍ରଦାନ କରାଯାଉଛି । ତେଣୁ ଜଳକ୍ଲିଷ୍ଟ କ୍ଷେତ୍ର, ଗୁଣାତ୍ମକ ମାନ ପ୍ରଭାବିତ କ୍ଷେତ୍ର, ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ଗ୍ରାମ, ଆକାଂକ୍ଷୀ ଜିଲ୍ଲାରେ ଥିବା ଗ୍ରାମ ଏବଂ ଏସଟି/ଏସସି ଅଧ୍ୟୁଷିତ ଗ୍ରାମରେ ଏହି ଯୋଜନା ପ୍ରଥମେ କାର୍ୟ୍ୟକାରୀ କରାଯାଉଛି ।

ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୨୦-୨୧ ବର୍ଷରେ ପଞ୍ଚାୟତିରାଜ ଅନୁଷ୍ଠାନ ନିମନ୍ତେ ଓଡ଼ିଶାକୁ ୨,୨୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥର ଅନ୍ୟୁନ ୫୦% ପରିମାଣ ପାନୀୟ ଜଳ ଯୋଗାଣ ଏବଂ ପରିମଳ ପାଇଁ ଖର୍ଚ୍ଚ କରାଯିବା ବାଧ୍ୟତାମୂଳକ । ଏହି ଅଭିଯାନକୁ କାର୍ୟ୍ୟକାରୀ କରିବା ସକାଶେ ବିଭିନ୍ନ ପର୍ୟ୍ୟାୟରେ ଆନୁଷ୍ଠାନିକ ବ୍ୟବସ୍ଥା କରାଯିବ ଏବଂ ରାଜ୍ୟର ଜନସ୍ୱାସ୍ଥ୍ୟ ଇଂଜିନିୟରିଂ ବିଭାଗ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏଥିରେ ଗ୍ରାମଗୋଷ୍ଠୀଙ୍କୁ ସମସ୍ତ କାର୍ୟ୍ୟ ଯଥା, ଯୋଜନା, ପରିଚାଳନା, ପ୍ରବର୍ତ୍ତନ, କାର୍ୟ୍ୟକ୍ଷମ ଓ ରକ୍ଷଣାବେକ୍ଷଣ ସକାଶେ ସାମିଲ କରାଯିବ । ରାଜ୍ୟ ସରକାର ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଗୋଷ୍ଠୀ ସଚେତନତା ସକାଶେ ନିୟୋଜିତ କରିବେ ।

ଓଡ଼ିଶାରେ ଅତି ମାତ୍ରାରେ ଜଳାଭାବ ତଥା ଅତିମାତ୍ରାରେ ଜଳ ଜନ ଜୀବନକୁ ପ୍ରଭାବିତ କରିଥାଏ । ରାଜ୍ୟର ଗୋଟିଏ ଭାଗରେ ବର୍ଷର ଅଧିକାଂଶ ସମୟ ଜଳାଭାବ ଦେଖା ଦେଇଥିବା ବେଳେ ଅନ୍ୟ ପାର୍ଶ୍ଵରେ ମୌସୁମୀ ବର୍ଷା ବନ୍ୟା ସୃଷ୍ଟି କରିଥାଏ । ତେଣୁ ପାଇପ ଯୋଗେ ଜଳକ୍ଳିଷ୍ଟ ଗ୍ରାମମାନଙ୍କୁ ଜଳଯୋଗାଣର ବ୍ୟବସ୍ଥା କରାଯିବାକୁ ପ୍ରୟାସ କରାଯାଉଛି ।

ଏବେ କୋଭିଡ଼-୧୯ ମହାମାରୀ ଯୋଗୁ ରାଜ୍ୟ ବାହାରୁ ପ୍ରବାସୀ ଓଡିଆମାନେ ନିଜ ଭିଟାମାଟିକୁ ଲେଉଟୁଛନ୍ତି । ସେମାନଙ୍କୁ ଜୀବନଜୀବିକା ଯୋଗାଇବା ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ଶ୍ରମିକମାନଙ୍କୁ ଜଳ ଯୋଗାଣ କାର୍ୟ୍ୟକ୍ରମରେ ନିୟୋଜିତ କରାଯାଇପାରିବ । ବିଶେଷ କରି ପ୍ଲମ୍ବିଂ, ଫିଟିଂ, ଜଳ ସଂରକ୍ଷଣ ପ୍ରକଳ୍ପ ଆଦିରେ ପ୍ରତି ଗ୍ରାମରେ ସେମାନେ ନିୟୋଜିତ ହୋଇପାରିବେ । ଏହା ଗ୍ରାମବାସୀମାନଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ ସହ ସେମାନଙ୍କୁ କୃଷି ପାଇଁ ମଧ୍ୟ ଜଳ ଯୋଗାଣରେ ସହାୟକ ହେବ । ଜଳ ଜୀବନ ଅଭିଯାନର ଏହା ହେଉଛି ମୂଳ ଉଦ୍ଦେଶ୍ୟ ।

Comments are closed.