ଅତିଥି ପକ୍ଷୀଙ୍କୁ ଚିଲିକା କାଳ – ମାସକରେ ମାରିଦେଲେ ୮୦

ଖୋର୍ଦ୍ଧା: ନିଜର ପରିବାର ସଂଖ୍ୟା ବଢ଼ାଇବା ପାଇଁ ସୁଦୂର ସାଇବେରୀଆ ଓ ଅନ୍ୟାନ୍ୟ ଅଂଚଳରୁ ହଜାର ହଜାର ମାଇଲ ଆକାଶପଥ ଅତିକ୍ରମ କରି ଚିଲିକାକୁ ଉଡି ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଚିଲିକା ଏବେ କାଳ ପାଲଟିଛି। ଗତ ୧ ମାସ ମଧ୍ୟରେ ୮୦ରୁ ଉର୍ଦ୍ଧ୍ୱ ମୃତ ବିଦେଶୀ ପକ୍ଷୀ ଜବତ ହୋଇଥିବା ବେଳେ ୬ ଜଣ ଶିକାରୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି । କିଏ କଇଁ ନାଡରେ ବିଷ ଦେଇ ତ କିଏ ଫାସ ପକାଇ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରୁଛି। ବନ ବିଭାଗ ପକ୍ଷୀ ଶିକାରୀଙ୍କୁ ଧରିବା ପାଇଁ ସ୍ୱାର୍ଡ ଗଠନ କରିଛି ସତ, କିନ୍ତୁ ଏମାନଙ୍କୁ ଚକମା ଦେଇ ଶିକାରୀମାନେ କରି ଚାଲିଛନ୍ତି ଅବାଧ ପକ୍ଷୀ ଶିକାର।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ପକ୍ଷୀ ଗଣନା ଆରମ୍ଭ ହୋଇନଥିଲେ ମଧ୍ୟ ପକ୍ଷୀ ଜଗୁଆଳୀଙ୍କ ସୂଚନା ଆଧାରରେ ବର୍ତମାନ ଚିଲିକାରେ ପାଖାପାଖି ସାଢ଼େ ତିନିଲକ୍ଷରୁ ଉଦ୍ଧ୍ୱର୍ ପକ୍ଷୀ ଡେରା ପକାଇସାରିଲେଣି। ପକ୍ଷୀ ସଂଖ୍ୟା ବଢ଼ିବା ସହିତ ସକ୍ରିୟ ହୋଇ ଉଠିଛନ୍ତି ପକ୍ଷୀ ଶିକାରୀ। ଏବେ ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶିକାର। ଏହି ପକ୍ଷୀ ମାଂସ ୧୬ନମ୍ବର ଜାତୀୟ ରାଜପଥରେ ଥିବା କେତେକ ଢ଼ାବାରେ ମଧ୍ୟ ବିକ୍ରି ହେଉଛି। ପକ୍ଷୀ ଶିକାରୀଙ୍କ ଉପରେ ନଜର ରଖିଥିବା ଚିଲିକା ବନ୍ୟପ୍ରାଣୀର ସ୍ୱାର୍ଡ ଗତ ମାସକ ମଧ୍ୟରେ ୪ଟି ମାମଲା ରୁଜୁ କରି ୮୦ରୁ ଉଦ୍ଧ୍ୱର୍ ମୃତ ପକ୍ଷୀ ଜବତ କରିଛି। ଗତ ମାସ ୧୭ ତାରିଖରେ ଟାଙ୍ଗି ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ବାବାଜୀ ରଣା ନାମକ ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଥିଲା।

ଗତ ମାସ ୨୮ତାରିଖରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ନାବାଳକକୁ ଗିରଫ କରାଯାଇ ତା’ ଠାରୁ ୧୬ଟି ବିଦେଶୀ ମୃତ ପକ୍ଷୀ ଉଦ୍ଧାର କରାଯାଇଥିଲା। ଏଗୁଡିକ ମଧ୍ୟରେ ନର୍ଦ୍ଦନ ପିଟଂଲ୍, କମନ୍କୁଡ୍, ପିଟେଂଲ୍ ପ୍ରଜାତିର ପକ୍ଷୀ ଥିଲେ । ଅନୁରୂପ ଭାବେ ଗତ ୧୩ ତାରିଖ ଦିନ ଟାଙ୍ଗି ୱାଇଲଡ୍ ଲାଇଫ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଏମାନଙ୍କ ନିକଟରୁ ୩ଟି ବିଦେଶୀ ପକ୍ଷୀ (୨ଟି ଲାର୍ଜହୁଇସିଲିଂ, ୧ଟି ରେସିଆନ୍ ଟେଲ) ଜବତ କରାଯାଇଥିଲା । ଏହି ମାମଲାରେ ପକ୍ଷୀ ଶିକାର କରିଥିବା ମଙ୍ଗଳାଯୋଡି ଗ୍ରାମର ରାମ ବେହେରା ଓ ଦିଲିପ ବେହେରାଙ୍କୁ ଗିରଫ କରାଯାଇଛି । ସେହିଭଳି ଚଳିତ ମାସ ୧୪ତାରିଖ ଦିନ ସୁନ୍ଦରପୁର ଗ୍ରାମର କବି ସାହୁଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଗୋଟିଏ ମୃତ ହୁଇସିଲିଂ ପକ୍ଷୀ ଜବତ କରାଯାଇଛି। ଗତ ୧୩ତାରିଖ ଦିନ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରର ଦେଇପୁରର ଏକ ନମ୍ବର କୁଦାରୁ ୬୦ଟି ମୃତ ବିଦେଶାଗତ ପକ୍ଷୀ, ୫୦୦ଟି ଗୁଳି, ଗୋଟିଏ ଦେଶୀ ବନ୍ଧୁକ, ମେସିନ ଚାଳିତ ଡଙ୍ଗା ଓ ମୋବାଇଲ ଜବତ କରିଛି। ଏହି ମାମଲାରେ ବନ୍ୟପ୍ରାଣୀ ବିଭାଗ ସୋରଣ ଗ୍ରାମର ମମତାଜ୍ ଖାଁ ଓ ନୁରୁଲା ଖାଁଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୫ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।

Comments are closed.