ଚତୁର ଡ୍ରାଇଭର ଆଗରେ ଫେଲ ମାରିଲା ଡକାୟତି ଗ୍ୟାଙ୍ଗଙ୍କ ଯୋଜନା, ଗିରଫ ୮ ଡକାୟତି କୋର୍ଟଚାଲାଣ

ହରଭଙ୍ଗା : ଜଣେ ଚତୁର କାର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଆଗରେ ଫେଲ ମାରିଛି କୁଖ୍ୟାତ ଡକାୟତଙ୍କ ଅପରାଧିକ ଷଡଯନ୍ତ୍ର। ଏମିତି ଏକ ଫିଲ୍ମି ଷ୍ଟାଇଲ କାର ଅପହରଣ ଏବଂ ଡକାୟତଙ୍କ ଯୋଜନା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଫସରଫାଟିବା ସହିତ ବୌଦ୍ଧ ଜିଲ୍ଲା ପୁଲିସ ସଫଳତାର ସହ ଡକାୟତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ରବିବାର ପୁରୁଣାକଟକ ପୁଲିସ ଚାରିଛକରୁ ଏକ ଇନୋଭା କାର ସହ ବନ୍ଧୁକ, ଭୁଜାଲି, ଗୁଳି, ମୁଖା ଭଳି ମାରଣାସ୍ତ୍ର ପୁଲିସ ଜବତ କରିଥିବାବେଳେ ୮ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଆଠଜଣିଆ  ଡକାୟତ ଗ୍ୟାଙ୍ଗ ମାନଙ୍କ ମଧ୍ୟରେ   ଶଙ୍କର ସାହୁ(କଲ୍ୟାଣିସାହି),ସୁରେଶ ଲେଙ୍କା(କୋଡପିଠା),ସଂଗ୍ରାମ ମହାନ୍ତି(ଟିକିରିପଡା),ପୂର୍ଣ୍ଣଚନ୍ଦ୍ର ମହାରଣା(ଭଡକିଲା),ଯୁଧିଷ୍ଠିର ମହାରଣା(ସୋରଡା),ସୁମନ୍ତ ବେହେରା(କୁଶାଢିପି),ଶରତ ଚନ୍ଦ୍ର ମହାରଣା(ବଉସାଗାଡିଆ), ଏବଂ ପ୍ରତାପ ମହାରଣା (ଭଡିକିଲା) ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି।ସମସ୍ତଙ୍କ ଘର  ନୟାଗଡ ଜିଲ୍ଲା ବୋଲି  ସୂଚନା ମିଳିଛି।ଏମାନଙ୍କ ନାମରେ ଓଡଗାଁ, ଫତେଗଡ ଏବଂ ବେଗୁନିଆ ଥାନାରେ ବହୁ ଅପରାଧିକ ମାମଲା ରହିଛି।

ଘଟଣାଟି ଏହିପରି…. ଭୁବନେଶ୍ୱର ଏକ ଟ୍ରାଭେଲ ଏଜେନ୍ସିରୁ ବଲାଙ୍ଗୀର ବିବାହ ଭୋଜି ପାଇଁ ବୁକିଂ ହୋଇଥିଲା ଦୁଇଟି ଇନୋଭା କାର। ବୁକିଂ ମୁତାବକ ଶନିବାର ଭୋର ୪ଟାରେ ଭୁବନେଶ୍ୱର ବରମୁଣ୍ଡାରେ  ଇନୋଭା କାର ଦୁଇଟି ଲାଗିଥିଲା। ସେଥିରେ ଜିତେନ୍ଦ୍ରଙ୍କ ଗୋଟିଏ ଗାଡି ମଧ୍ୟ ଥିଲା। ଜିତେନ୍ଦ୍ର ସେମାନଙ୍କୁ କେତେଜଣ ଯିବେ ବୋଲି ପଚାରିଥିଲେ। କୋଡିଏ ଜଣ ଯିବା ପାଇଁ କହିବାରୁ ଜିତେନ୍ଦ୍ର ୬ ସିଟ ଗାଡିରେ ଏତେଲୋକ ଯାଇ ହେବନାହିଁ କହିଥିଲେ। ଫଳରେ ସେଠାରୁ ଗୋଟିଏ ଇନୋଭା କାର ଫେରାଇ ଦେଇଥିଲେ। ଜିତେନ୍ଦ୍ରଙ୍କ ଗାଡିରେ ଦୁଇଜଣ ବରମୁଣ୍ଡାରୁ ବସି ବଲାଙ୍ଗୀର ଅଭିମୁଖେ ଯାତ୍ରାକଲେ। ନୟାଗଡ ଭଳି ବିଭିନ୍ନ ଷ୍ଟପେଜରୁ ୨ ଜଣ ଲେଖାଏଁ ବସି କାରରେ ମୋଟ ଆଠଜଣ ବସିଥିଲେ। ଦଶପଲ୍ଲାରୁ ଅନ୍ୟ ଏକ ପିକଅପ ଗାଡିରେ ଆଉ ୧୨ଜଣ ଯାଇଥିଲା। ବଲାଙ୍ଗୀର ସିଧା ଯିବା ପରିବର୍ତ୍ତେ ବୌଦ୍ଧରୁ ରୁଟ ପରିବର୍ତ୍ତନ ଯୋଗୁଁ ଜିତେନ୍ଦ୍ରଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ଅଲଗା ରାସ୍ତାରେ ଯିବା ପାଇଁ ସେମାନଙ୍କୁ ମନାକରିବା ସତ୍ତ୍ବେ କମ୍ ରାସ୍ତା କହି ସଟକର୍ଟ ଯିବା ବୋଲି ଜିତେନ୍ଦ୍ରଙ୍କୁ ରାଜି କରାଇଥିଲେ। ଏକ ନିଛାଟିଆ ସ୍ଥାନରେ ଗାଡି ଏକ ଘଂଟା ଅଟକିବା ପରେ ଜିତେନ୍ଦ୍ର ପିକଅପ ଡ୍ରାଇଭରଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଗାଡିରେ ଥିବା ମାରଣାସ୍ତ୍ର ଦେଖି ଭୟଭୀତ ହୋଇଯାଇଥିଲେ। ଯାହାଫଳରେ ବିବାହ ଭୋଜି ନୁହେଁ ଅନ୍ୟ ଉଦ୍ଦେଶ୍ୟରେ ସେମାନେ ଆସିଥିବା ଜାଣିପାରି ସତର୍କ ଏବଂ ଚତୁରତାର ସହ ଏଜେନ୍ସିର ଅନ୍ୟ ଜଣଙ୍କୁ ମେସେଜ ମାଧ୍ୟମରେ ସୂଚନା ଦେଇଥିଲେ। ଜି.ପି.ଆର.ଏସ ଟ୍ରାକ କରିବା ସହିତ ତାଙ୍କୁ କେହି ଫୋନ ନ କରିବା ପାଇଁ ମେସେଜରେ ସୂଚନା ଦେଇଥିଲେ। ଏହା ପରେ ଜିତେନ୍ଦ୍ର ବିପଦରେଥିବା ଜାଣି ଏଜେନ୍ସି ମାଲିକ ବୌଦ୍ଧ ଏସ.ପିଙ୍କୁ ସୂଚନା ଦେଇଥିଲେ। ପୁଲିସର ବଛା ବଛା ଅଧିକାରୀଙ୍କୁ ଫୋନ କନଫେରେନ୍ସିଂ ମାଧ୍ୟମରେ ଗାଡିକୁ ଟ୍ରାକ କରିବା ସହିତ ଚାରିଛକରେ ପୁଲିସ ଗାଡିକୁ କାବୁ କରିବା ସହିତ ଆଠଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ପୁରା ଘଟଣାର ହିରୋ ହେଉଛନ୍ତି ଡ୍ରାଇଭର ଜିତେନ୍ଦ୍ର ନାଏକ।

Comments are closed.