‘ଅନ୍ୟର ଭଲ କଲେ ନିଜେ ଭଲ ହେବା’

ଜଷ୍ଟିସ ଅରିଜିତ ପଶାୟତ ପାଇଲେ ‘ଭୂମି ଗୌରବ ସମ୍ମାନ’

୭୫ତମ ଜନ୍ମବାର୍ଷିକୀ ସମାରୋହ

କଟକ : ଉଚ୍ଚ ସୋପାନକୁ ଉଠିବାକୁ ହେଲେ ଅନ୍ୟ ପାଇଁ କିଛି କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିିଜ ବିବେକକୁ ଉପଯୋଗ କରି ସମାଜର ଲୋକଙ୍କ ପାଇଁ କିଛି କରିବାର ମନୋବୃତ୍ତି ପୋଷଣ କରିବା ଉଚିତ୍। ଅନ୍ୟର ଭଲ କଲେ ନିଜେ ଭଲ ହେବା। ସ୍ବାର୍ଥପର ହେଲେ ସଂସାର ଭାଙ୍ଗିଯିବ। ଅନ୍ୟ ଆଖିର ଦୁଇଟୋପା ଲୁହ ପୋଛିଦେଲେ, ଭଗବାନ ଖୁସି ହେବେ। ପରର କ୍ଷତି କରିବା ଚିନ୍ତା ନ କରି ସମସ୍ତେ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର। ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ କଲଚରାଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ପ୍ରଦତ୍ତ ‘ଭୂମି ଗୌରବ ସମ୍ମାନ’ ଗ୍ରହଣ କରି ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡ. ଅରିଜିତ ପଶାୟତ ଏହି ମତବ୍ୟକ୍ତ କରିଛନ୍ତି।
ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. (ଇଂ) ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସାରଳା ଭବନଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଜଷ୍ଟିସ ଅରିଜିତ ପଶାୟତଙ୍କ ୭୫ତମ ଜନ୍ମବାର୍ଷିକୀ ସମାରୋହକୁ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଉଦ୍‌ଘାଟନ କରି କହିଲେ, ଅରିଜିତ ପଶାୟତ ଜଣେ ପ୍ରତ୍ୟୁତ୍ପନ୍ନମତି ଓ ଉଚ୍ଚ ଧୀଶକ୍ତି ସମ୍ପନ୍ନ ବିଚାରପତି। ଭାରତ ବର୍ଷର ଜଣେ ବିଜ୍ଞ ବିଚାରପତି ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ମୋକଦ୍ଦମାର ରାୟ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ମୁଖ୍ୟବକ୍ତା ପଦ୍ମଶ୍ରୀ ପ୍ରତିଭା ରାୟ କହିଲେ, ଜଷ୍ଟିସ ପଶାୟତ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ। ସେ ତାଙ୍କର ନିର୍ମଳ ଭାବମୂର୍ତ୍ତି ଅତୁଟ ରଖିଛନ୍ତି। ସମାଜର ହିତ ପାଇଁ ଜଷ୍ଟିସ ପଶାୟତଙ୍କ ବିଚାରଧାରା ଉଦ୍ଦିଷ୍ଟ। ତାଙ୍କର ଗୁଣଗରିମା ବାସ୍ତବରେ ଭୂମିରୁ ଭୂମା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି। ସମ୍ମାନିତ ଅତିଥି ପ୍ରାକ୍ତନ ଆଡ୍‌ଭୋକେଟ ଜେନେରାଲ ଜଗନ୍ନାଥ ପଟ୍ଟନାୟକ କହିଲେ, ସୁପ୍ରିମକୋର୍ଟର ବିଚାରପତି ହୋଇ ବି ତାଙ୍କର ଟୋପାଏ ବି ଗର୍ବ ନ ଥିଲା। ବିଚାରପତି ଭାବେ ଜଷ୍ଟିସ ପଶାୟତ ଅତ୍ୟନ୍ତ ନିର୍ଭୀକ ଓ ଯଥେଷ୍ଟ ସମ୍ମାନର ଅଧିକାରୀ। ସମ୍ମାନିତ ଅତିଥି ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଲେ, ଜଷ୍ଟିସ ପଶାୟତ ସମସ୍ତଙ୍କ ସହ ମିଶିଯାନ୍ତି। ସେ ଜଣେ ଉଦାରଚିତ୍ତ, ଉଚ୍ଚଭାବର ମଣିଷ। ତାଙ୍କ ଭିତରେ ମହନୀୟତା ଓ ମାନବିକ କରୁଣାର ଭାବ ଭରିରହିଛି। ସମ୍ମାନିତ ଅତିଥି ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଲେ, ଜଷ୍ଟିସ ପଶାୟତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସ୍ଥିର ଚିତ୍ତ ଓ ଲାସ୍ୟମୟ ହୋଇ ରହିଥାନ୍ତି। ସେ ଓଡ଼ିଶାର ହଜାର ହଜାର ବ୍ୟକ୍ତିଙ୍କ ପ୍ରେରଣାର ଉତ୍ସ। ସାରଳା ସାହିତ୍ୟ ସଂସଦର ସମ୍ପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ଜଷ୍ଟିସ ପଶାୟତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଛାତ୍ରଜୀବନରୁ ଜଷ୍ଟିସ ପଶାୟତଙ୍କ ଶୃଙ୍ଖଳା, ଧୀଶକ୍ତି ଜଣାପଡ଼ିଥିଲା। ସଭାପତି ଇଂ ସ୍ବାଇଁ କହିଲେ, ଜଷ୍ଟିସ ପଶାୟତ ଜଣେ ସ୍ନେହୀ, ଦରଦୀ ଓ ପରୋପକାରୀ ବ୍ୟକ୍ତି। ସେ ଭାରତ ଭୂମିର ଜଣେ ସୁଯୋଗ୍ୟ ସନ୍ତାନ ବୋଲି ଇଂ ସ୍ବାଇଁ ଅଭିହିତ କରିଥିଲେ। ଏହି ଅବସରରେ ବହୁ ଅନୁଷ୍ଠାନ ପକ୍ଷରୁ ଜଷ୍ଟିସ ପଶାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉତ୍ସବରେ ସଭାପତି ଡ. (ଇଂ) ପ୍ରଭାକର ସ୍ବାଇଁ ସଂପ୍ରତି ବିପିୟୁଟି ପକ୍ଷରୁ ସମ୍ମାନସୂଚକ ଡିଏସ୍‌ସି ଲାଭ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚେଳିତୋଳ କଲଚରାଲ ଏକାଡେମୀର ସଭାପତି ଡାକ୍ତର ନିମାଇଁ ଚରଣ ପରିଜା ସ୍ବାଗତ ଭାଷଣ ଓ ନାଟ୍ୟକାର ସଂଜିତ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ବିଜୟଲକ୍ଷ୍ମୀ ନାୟକ ମାନପତ୍ର ପାଠ କରିଥିଲେ। ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ ଧନ୍ୟବାଦ ଦେଇଥିଲେ। ପ୍ରଫେସର ନୀରଦ କୁମାର ଗଚ୍ଛାୟତ, ଶିକ୍ଷାବିତ୍ ନଳିନୀକାନ୍ତ ପଣ୍ଡା, ବନଶ୍ରୀ ମହାପାତ୍ର, ଅଧ୍ୟାପକ ନିର୍ମଳ ପହି, କୁନଲତା ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି, ପ୍ରାକ୍ତନ ବିଚାରପତି, ଆଇନଜୀବୀ, ସାହିତ୍ୟିକ, ଶିକ୍ଷାବିତ୍, ଇଞ୍ଜିନିୟର, ଡାକ୍ତରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Comments are closed.