୭ବର୍ଷର ପ୍ରେମ, ଏବେ ପ୍ରତାରଣା

ପ୍ରେମିକ ଘର ସମ୍ମୁଖରେ ପ୍ରେମିକାର ଧାରଣା

ତୁଷୁରା : ୭ ବର୍ଷ ଧରି ଉଭୟ ଯୁବକ, ଯୁବତୀ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ। କିନ୍ତୁ ବିବାହ କଥା ପଡିବାରୁ ପ୍ରେମିକ ଧରାଛୁଆଁ ଦେଲେନି। କିନ୍ତୁ ପ୍ରେମିକକୁ ବିବାହ କରିବା ଜିଦ୍ରେ ଲୋକ ଲଜ୍ଜାକୁ ଭୃକ୍ଷେପ ନକରି ଯୁବତୀଜଣଙ୍କ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତୁଷୁରା ଥାନା ରୁଷୁଡା କନ୍ଦେନବାହାଲି ଗାଁରେ। ସୂଚନା ଅନୁସାରେ, ଗୁଡ଼ଭେଲା ବ୍ଲକ ତଥା ତୁଷୁରା ଥାନା ଅନ୍ତର୍ଗତ କନ୍ଦେନବାହାଲି ଗାଁର ୨୭ ବର୍ଷୀୟ ଯୁବକଙ୍କ ସହିତ ସଇଁନ୍ତଲା ଥାନା ଅର୍ନ୍ତଗତ ବଡ଼ମାଳ ଗାଁର ୨୪ ବର୍ଷୀୟ ଯୁବତୀଙ୍କ ସହିତ ଦୀର୍ଘ ୭ ବର୍ଷ ହଲା ପ୍ରେମ ସଂପର୍କ ଥିଲା। ପ୍ରେମିକା ଓ ପ୍ରେମିକଙ୍କ ସଂପର୍କରେ ପରିବାର ଲୋକ ଜାଣିବା ପରେ ଝିଅ ପରିବାର ଲୋକ ଯୁବକଙ୍କୁ ବିବାହ ପାଇଁ କହିଥିଲେ। ଏଥିରେ ଯୁବକ ସମ୍ମତି ପ୍ରକାଶ କରିବାରୁ ଝିଅକୁ ତାଙ୍କ ଘରକୁ ନେବାକୁ ରାଜି ହେଲେ। ଝିଅକୁ ଆଣିଲା ବାଟରେ ପ୍ରେମିକର ବଡ଼ ଭଉଣୀ ମାଡ଼ ମାରି ବଡ଼ମାଳ ପାର ହେବା ପରେ ଗାଁ ବାହାରେ ଗାଡ଼ିରୁ ଓହ୍ଲାଇ ଦେଇଥିବା ଯୁବତୀ ଜଣକ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ। ଏହାପରେ ଯୁବତୀ ଜଣକ ସଇଁନ୍ତଲା ଥାନାକୁ ଯାଇ ଅଭିଯୋଗ କରିବାରୁ ସକାଳେ ଆସିବ କହି ଯୁବତୀଙ୍କୁ ଫେରାଇ ଦେଇଥିଲେ। ପରେ ଯୁବତୀ ଯୁବକଙ୍କ ଗାଁ କନ୍ଦେନବାହାଲିକୁ ଆସି ତାଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଧାରଣା ଦେଇଥିବା ଯୁବତୀଙ୍କ କହିବା ଅନୁସାରେ, ପ୍ରେମିକ ଘରେ ଲୁଚିଛନ୍ତି। ତାଙ୍କୁ ଘରୁ ବାହାର କରାଯିବା ସହ ମୋତେ ନ୍ୟାୟ ଦିଆଯାଉ ବୋଲି ଯୁବତୀ କହିଛନ୍ତି। ଖବର ପାଇ ତୁଷୁରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇଥିଲେ। ଧାରଣା ଦେଇଥିବା ଯୁବତୀଙ୍କ ସହ କଥାବାର୍ତ୍ତା କରିବା ସହ ଯୁବକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। କିଛି ସମୟ ସେଠାରେ ରହିବା ପରେ ପୁଲିସ ଫେରି ଆସିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ଦିଆଯାଇ ନଥିବା ଜଣାପଡ଼ିଛି।

Comments are closed.