୭ ଭାରତୀୟ ନୌସେନା ଯବାନ ଗିରଫ, ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିଲେ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ପୁଲିସ ପାକିସ୍ତାନୀ ଗୁଇନ୍ଦା ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୁଲିସ ଭାରତୀୟ ନୌସେନାର ୭ ଯବାନଙ୍କୁ ଗିରଫ କରିଛି। ଏହି ଯବାନମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଏହି ରାକେଟ୍‌କୁ ଧରିବା ଲାଗି ‘ଅପରେଶନ ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା। ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର ୭ ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଏହା ସହିତ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କେତେଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ମାମଲାର ତଦନ୍ତ ଜାରି ରହିଥିବାରୁ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

Comments are closed.