କର୍ଣ୍ଣାଟକ ମେଡିକାଲ କଲେଜର ୬୬ ଡାକ୍ତରୀ ଛାତ୍ର କରୋନା ସଂକ୍ରମିତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜର ୬୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏତେ ସଂଖ୍ୟାରେ ଡାକ୍ତରୀ ଛାତ୍ର ଏକ ସମୟରେ କରୋନା ସଂକ୍ରମିତ ହେବା ଘଟଣା ମେଡିକାଲ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନର ନିଦ ହଜାଇ ଦେଇଛି । ଜଣାଯାଇଛି ଯେ ଧାରୱାଡର ମଞ୍ଜୁଶ୍ରୀନଗରଠାରେ ଥିବା ଏସଡିଏମ କଲେଜ ଅଫ ମେଡିକାଲ ସାଇନ୍ସେସରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ କିଛିଦିନ ତଳେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରେ କିଛି ଛାତ୍ରଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ପରେ ସେମାନଙ୍କ ନମୁନା ପରୀକ୍ଷାରୁ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଅନ୍ୟମାନଙ୍କର ନମୁନା ସଂଗ୍ରହ କରାଯାଇଥିଲା । ମୋଟ ୬୬ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ସମସ୍ତ ଛାତ୍ରଛାତ୍ରୀ କୋଭିଡର ଦୁଇଟି ପାନ ଟିକା ନେଇସାରିଛନ୍ତି । ଏହାପରେ ମେଡିକାଲ କଲେଜର ଦୁଇଟି ଛାତ୍ରାବାସକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବନ୍ଦ କରିଦିଆଯାଇଛି । ଉକ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ଛଡାଯାଉନାହିଁ କିମ୍ବା ମେଡିକାଲ କଲେଜ ପରିସରକୁ ପ୍ରବେଶ ପାଇଁ କାହାକୁ ଅନୁମତି ଦିଆଯାଉନାହିଁ । ଇତିମଧ୍ୟରେ ଆଉ ୧୦୦ ଛାତ୍ରଛାତ୍ରୀଙ୍କର ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Comments are closed.