ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଦେଲେ ୬୦ ହଜାର ଛାତ୍ରଛାତ୍ରୀ

ସରିଲା ମୂଲ୍ୟାୟନ, ଦୁଇ ଦିନରେ ଫଳ ହସ୍ତାନ୍ତର

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି। ରାଜ୍ୟର ୨୬ ପରୀକ୍ଷା କେନ୍ଦ୍ରରେ ୭୨ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ପିଜି ନାମଲେଖା ପାଇଁ ୬୦ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ଦେଇଛନ୍ତି। ଏଥର ୫୫ ହଜାର ୩୨୭ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ବହୁ ବିଦ୍ୟାର୍ଥୀ ଏକାଧିକ ବିଷୟରେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ପରୀକ୍ଷା ପରିଚାଳନା ଦାୟିତ୍ଵ ଦିଆଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରବେଶିକା ପରୀକ୍ଷାର ମୂଲ୍ୟାୟନ ଶେଷ ହୋଇଥିବାବେଳେ ଦୁଇ ଦିନ ମଧ୍ୟରେ ଫଳ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦକୁ ହସ୍ତାନ୍ତର କରାଯିବ।
ଆସନ୍ତା ଅକ୍ଟୋବର ୧୨ରେ ବିଷୟଭିତ୍ତିକ ପ୍ରଥମ ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସ୍ନାତକ(+୩) ପ୍ରମାଣପତ୍ର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଅକ୍ଟୋବର ୧୨ରୁ ୧୭ ମଧ୍ୟରେ ଛାତ୍ରଛାତ୍ରୀ ସେମାନଙ୍କର ପସନ୍ଦ ଦାଖଲ କରିବେ। ଅକ୍ଟୋବର ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ୭୨ ଶିକ୍ଷାନୁଷ୍ଠାନରେ ମୋଟ ପ୍ରାୟ ୧୫ ହଜାର ପିଜି ସିଟ୍‌(ଆସନ) ରହିଛି। ପ୍ରବେଶିକା ପରୀକ୍ଷା ଆଧାରରେ ହିଁ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ।

Comments are closed.