ପୁଣି ଗୋଟିଏ ଓଭରରେ ୬ଟି ଛକା : ଲିଓ କାର୍ଟର ବିଶ୍ବର ୭ମ ବ୍ୟାଟ୍ସମ୍ୟାନ୍

ଖ୍ରୀଷ୍ଟଚର୍ଚ୍ଚ : ବିଶ୍ବର ୭ମ ବ୍ୟାଟ୍ସମ୍ୟାନ୍ ଭାବେ ଏକ ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ରେ ଗୋଟିଏ ଓଭରରେ ୬ଟି ବଲ୍ରେ ୬ଟି ଛକା ମାରିବାର କୃତିତ୍ବ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଲିଓ କାର୍ଟର। ରବିବାର ନ୍ୟୁଜିଲାଣ୍ଡର ଘରୋଇ ଟ୍ବେଣ୍ଟି-୨୦ ଲିଗ୍ ସୁପର ସ୍ମାଶ୍ର ଏକ ମ୍ୟାଚ୍ରେ କାର୍ଟର ଏକ ଓଭରରେ ୬ଟି ଛକା ମାରିଥିଲେ। କାର୍ଟର କାଣ୍ଟରବରି ଦଳ ପାଇଁ ଖେଳି ନଦର୍ଣ୍ଣ ଡିଷ୍ଟ୍ରିକ୍ଟସ ବିପକ୍ଷରେ ଏହି କୃତିତ୍ବ ହାସଲ କରିଥିଲେ। କାର୍ଟର ନଦର୍ଣ୍ଣ ଡିଷ୍ଟ୍ରିକ୍ଟସର ବାମହାତି ସ୍ପିନର ଆଣ୍ଟନ୍ ଦେବ୍ସିଚ୍ଙ୍କ ଏକ ଓଭରରେ ୬ଟି ଛକା ମାରିଥିଲେ। ଦେବ୍ସିଚ୍ ଜଣେ ଆନ୍ତର୍ଜାତିକ ବୋଲର ଏବଂ ନ୍ୟୁଜିଲାଣ୍ଡ ପାଇଁ ୧୨ଟି ଦିନିକିଆ ଓ ୪ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଇନିଂସରେ ଲିଓ କାର୍ଟର ମାତ୍ର ୨୯ ବଲ୍ରେ ୭ଟି ଛକା ଓ ୩ଟି ଚୌକା ସହ ୭୦ ରନ୍କରି ଅପରାଜିତ ରହିଥିଲେ। କାର୍ଟରଙ୍କ ଏହି ଇନିଂସ ବଳରେ ୨୨୦ ରନ୍ର ବିଜୟଲକ୍ଷ୍ୟକୁ ପିଛାକରି କାଣ୍ଟରବରି ୭ ୱିକେଟରେ ଜିତି ନେଇଥିଲା।
ବିଶ୍ବର ୭ମ ବ୍ୟାଟ୍ସମ୍ୟାନ୍ ଭାବେ ଲିଓ କାର୍ଟର ଏକ ଓଭରରେ ୬ଟି ଛକା ମାରିଛନ୍ତି। ଏହି କୃତିତ୍ବ ହାସଲ କରିବାରେ କାର୍ଟର ନ୍ୟୁଜିଲାଣ୍ଡର ପ୍ରଥମ ବ୍ୟାଟ୍ସମ୍ୟାନ୍। ପୁଣି ଟ୍ବେଣ୍ଟି୨୦ କ୍ରିକେଟ୍ରେ ୪ର୍ଥ ବ୍ୟାଟ୍ସମ୍ୟାନ୍ ଭାବେ କାର୍ଟର ଏହି କୃତିତ୍ବ ହାସଲ କରିଛନ୍ତି। ପୂର୍ବରୁ ଭାରତର ଯୁବରାଜ ସିଂହ (୨୦୦୭), ଇଂଲଣ୍ଡର ରସ୍ ହ୍ବାଇଟ୍ଲି (୨୦୧୭) ଓ ଆଫ୍ଗାନିସ୍ତାନର ହଜ୍ରତୁଲ୍ଲା ଜାଜାଇ (୨୦୧୮) ଟ୍ବେଣ୍ଟି୨୦ କ୍ରିକେଟ୍ରେ ଏକ ଓଭରରେ ୬ଟି ଛକା ମାରିବାର କୃତିତ୍ବ ହାସଲ କରିଥିଲେ। ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ର ସାର୍ ଗ୍ୟାର୍ଫିଲ୍ଡ ସୋବର୍ସ (ଇଂଲିଶ୍ କାଉଣ୍ଟି), ଭାରତର ରବି ଶାସ୍ତ୍ରୀ (ରଣଜୀ ଟ୍ରଫି) ଓ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ (ଦିନିକିଆ) ଏକ ଓଭରରେ ୬ଟି ଛକା ମାରିଥିଲେ।