ଯୋଡା ନାବାଳିକା ଗଣଦୁଷ୍କର୍ମ ଘଟଣା: ୬ ନାବାଳକ ଗିରଫ, ଜଣେ ଫେରାର

ଯୋଡା: ଗତ ସୋମବାର ରାତିରେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ପଣସଗୋଡା ପଡିଆରେ ସଂଗଠିତ ପାଶବିକ ନାବାଳିକା ଗଣବଳତ୍କାର ଘଟଣାରେ ଯୋଡା ପୁଲିସ ୬ ଜଣ ନାବାଳକଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ତଥ୍ୟ ଆଧାରରେ ପୂର୍ବଦିନ ଅଟକ ୬ ଜଣ ନାବାଳକଙ୍କୁ ବୁଧବାର ଗିରଫ କରାଯାଇ ଡାକ୍ତରୀ ମାଇନା ନିମନ୍ତେ ଚିକିତ୍ସାଳୟକୁ ପଠାଯାଇଥିବାର ଜଣାପଡିଛି। ତେବେ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଜଣକ ଫେରାର ଥିବାର ବଡବିଲ ଏସଡିପିଓ ଦିଲ୍ଲୀପ ବାଗ ଏକ ପ୍ରେସ୍‍ କନ୍‍ଫେରେନ୍ସରେ ପ୍ରକାଶ କରିଛନ୍ତି। ଘଟଣା ଅତି ଦୁଃଖଦପୂର୍ଣ୍ଣ ଏବଂ ଏହା ଏକ ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟକଳାପର ନିଦର୍ଶନ ବୋଲି ପୁଲିସ ପକ୍ଷରୁ ମଧ୍ୟ ଏହି ଅବସରରେ କ୍ଷୋଭ ପ୍ରକାଶ କରାଯାଇଥିଲା।

ସୂଚନାଯୋଗ୍ୟ, କମାରଯୋଡାଠାରେ ନିଜର ସମ୍ପର୍କୀୟାଙ୍କ ଘରେ ରହି ପାଠ ପଢୁଥିବା ନାବାଳିକା ଜଣକ ଗତ ଗୁରୁବାର ଠାରୁ କାହାକୁ କିଛି ନକହି ଘରୁ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ସମ୍ପର୍କୀୟମାନେ ଏଣେତେଣେ ଖୋଜାଖୋଜି କରୁଥିଲେ ମଧ୍ୟ ଏ ସମ୍ପର୍କରେ ବିଧିବଦ୍ଧ ରୂପେ ଥାନାରେ କୌଣସି ସୂଚନା ଦେଇନଥିଲେ। ତେବେ ମଙ୍ଗଳବାର ସକାଳୁ ସମ୍ପୃକ୍ତ ନାବାଳିକା ଜଣଙ୍କୁ ଅର୍ଦ୍ଧନଗ୍ନ ଚେତାଶୂନ୍ୟ ଅବସ୍ଥାରେ ବିଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ପୀଡିତା ନାବାଳିକା ସୋମବାର ରାତି ସମୟରେ ନିଜର ଜଣେ ପୁରୁଷ ବନ୍ଧୁ ସହ ମାମୁଁ ଘରକୁ ଫେରୁଥିବା ଅବସରରେ ପଣଶଗୋଡା ପଡିଆରେ ୭ ରୁ ୮ ଜଣ ଦୁବୁର୍ତ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଗିରଫ ନାବାଳକମାନଙ୍କୁ ପ୍ରଥମେ କେନ୍ଦୁଝର ଜିଲା କୋର୍ଟରେ ହାଜର କରାଇବା ପରେ ବ୍ୟବସ୍ଥା ମୁତାବକ ସେମାନଙ୍କୁ ରାଉରକେଲା ବାଳ ସୁଧାର କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।

Comments are closed.