ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟ ଉଚ୍ଚର ବନ୍ୟା ଜଳ

ପାଟଣାରେ ବନ୍ୟା ଜଳ ବୈତରଣୀ ପୋଲ ଛୁଇଁଲା , ୫୦ ବର୍ଷର ରେକର୍ଡ ଭାଙ୍ଗିଲା

ପାଟଣା: ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲ୍ଲାର ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ ମାତ୍ର ୧୨ ଘଣ୍ଟା ଅବିଶ୍ରାନ୍ତ ବର୍ଷାରେ ପାଟଣା ବ୍ଲକର ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ଗୁରୁବାର ସକାଳୁ ୬ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟୁନ ୩ ଦିନ ବର୍ଷା ହେଲେ ତୁରୁମୁଙ୍ଗା ବୈତରଣୀ ଉପରେ ପାଣି ଚାଲୁଥିବା ବେଳେ ଗୋଟିଏ ଦିନରେ ଏପରି ପରିସ୍ଥିତି ଉପୁଜିଛି। ଯାହାଫଳରେ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ହଜାରେରୁ ଅଧିକ ଯାନବାହାନ ଅଟକି ରହିଛି। ଏଠାରେ ନୂଆ ସେତୁ ନିର୍ମାଣ କାମ ଚାଲିଥିବା ବେଳେ ପୁରୁଣା ସେତୁ ଉପରେ ପାଣି ଚାଲିଛି। ଅଚାନକ ବନ୍ୟା ଆସିବା ଫଳରେ ବାଲି ମାଫିଆମାନଙ୍କ ଡଙ୍ଗା ଓ ମୋଟର ଭାସିଯାଇଛି। ସେହିପରି ପାଟଣା ବୈତରଣୀ ପୋଲ ନିକଟରେ ବନ୍ୟା ଜଳ ବିପଦ ସଂକେତ ପାର କରି ପୋଲ ଛୁଇଁଥିବାରୁ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ବାତ୍ୟା ଓ ବର୍ଷା ଯୋଗୁଁ ପାଟଣା ବ୍ଲକ ଅଞ୍ଚଳରେ ଆଜି ସୁଦ୍ଧା ୨୭ ଟି ଘର ଆଂଶିକ ଭାଙ୍ଗିଥିବା ଜଣାପଡିଛି। ସେହିପରି ପାଟଣା – କେନ୍ଦୁଝର ରାସ୍ତା ଭିମାପଡା ପୁରୁଣାପୋଲ , ଟାଙ୍ଗରପଡା ଡାଇଭରସନ , ପାଟଣା – ଢେଙ୍କିକୋଟ ରାସ୍ତାର ଶିମୁଳିନାଳ ଡାଇଭରସନ , ଢେଙ୍କିକୋଟ – ଡୁମୁରିଆ ରାସ୍ତାର ସିତାପୋଲ , ଜହ୍ନେଇନାଳ ପୋଲ ଉପରେ ପାଣି ଚାଲିଥିବା ସୂଚନା ମିଳିଛି।

Comments are closed.