ପରିକ୍ରମା ମାର୍ଗ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ପୁରୀ :  ଶ୍ରୀ ଜଗନ୍ନାଥ ମନ୍ଦିର ଚତୁପାର୍ଶ୍ଵ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିୟାନ । ଗୁରୁବାର ରାତିରେ ସେ ଅଚାନକ ପୁରୀ ଗସ୍ତରେ ଆସି ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଟାଟା ପ୍ରକଳ୍ପ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପରିକ୍ରମା ମାର୍ଗ ନିର୍ମାଣ ଶେଷ କରିବାକୁ ଶ୍ରୀ ପାଣ୍ଡିୟାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ ଦ୍ଵାର ସମ୍ମୁଖରେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉତ୍ତର ଦ୍ଵାର ଏବଂ ପଶ୍ଚିମ ଦ୍ଵାର ସମ୍ମୁଖରେ କାର୍ଯ୍ୟ ଅବ୍ୟାହତ ରହିଛି । ତେବେ ଅଭ୍ୟର୍ଥନା କେନ୍ଦ୍ର କେଉଁ ସ୍ଥାନରେ ନିର୍ମାଣ କରାଯିବ ସେଥିପାଇଁ ଏପର୍ଯ୍ୟନ୍ତ ଜମି ଚିହ୍ନଟ କରାଯାଇନାହିଁ । ଏଥିପାଇଁ ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ଠାରୁ ୧୦୦ ମିଟର ଦୂରରେ ଜମି ଖୋଜା ଚାଲିଛି। ପରିକ୍ରମା ମାର୍ଗ ପ୍ରକଳ୍ପରେ ଭକ୍ତଙ୍କ ପାଇଁ ଶୌଚାଳୟ, ଜିନିଷ ରଖିବା ଘର, ବିଶ୍ରାମ ସ୍ଥଳ, ବିଦ୍ୟୁତ ଯୋଗାଣ କେନ୍ଦ୍ର, ଏଟିଏମ , ଅଭ୍ୟର୍ଥନା ପ୍ରକୋଷ୍ଠ, ଦାନ ସଂଗ୍ରହ ଗୃହ ଏବଂ ସୁରକ୍ଷା କରିଡ଼ର ନିର୍ମାଣ ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଗତବର୍ଷ ନଭେମ୍ବର ୨୪ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଟାଟା ପ୍ରକଳ୍ପକୁ ନିର୍ମାଣ ଦାୟିତ୍ଵ ଦିଆଯାଇଛି । ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ମାର୍ଗ ନିର୍ମାଣ ନିମନ୍ତେ ଅବଢ଼ା ଯୋଜନାରେ ୩୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପରିକ୍ରମା ମାର୍ଗ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେବା ସହ ମୋକଦ୍ଦମା ଖାରଜ କରିବା ପରେ ନିର୍ମାଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇଛି ।

Comments are closed.