ଭୁଲ୍‌ ଇଞ୍ଜେକ୍‌ସନ୍‌ ନେଇ ୫୯ ଅସୁସ୍ଥ

ପୁରୀ : ଜିଲା ସଦର ହାସପାତାଳରେ ତ୍ରୁଟିପୂର୍ଣ୍ଣ ଇଞ୍ଜକସନ୍‌ ନେଇ ୫୯ରୋଗୀ ବୁଧବାର ଅସୁସ୍ଥ ହୋଇଛନ୍ତି। ପୁରୁଷ ଓ ମହିଳା ଭେଷଜ ୱାର୍ଡରେ ସେମାନଙ୍କ ଚିକିତ୍ସା କରାଯାଉଛି। ଇଞ୍ଜକସନ୍‌ ଜବତ କରାଯିବା ସହ ଘଟଣାର ତଦନ୍ତ ପାଇଁ ସୁପାରିସ କରାଯାଇଛି। ଡାକ୍ତର ପି.ଏମ. ମଲିକ ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ଇଞ୍ଜକସନ୍‌ ନେଇଥିବା ବ୍ୟକ୍ତିମାନେ ଜ୍ବର, ବାନ୍ତି ଏବଂ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରଖାନା ଗୋଦାମରେ ରହିଥିବା ସଂପୃକ୍ତ କମ୍ପାନୀ ଇଞ୍ଜକସନ୍‌ ଗୁଡିକୁ ବ୍ୟବହାର ନକରିବା ପାଇଁ ସିଡିଏମ୍‌ଓ ଡାକ୍ତର ନୀଳକଣ୍ଠ ମିଶ୍ର ନିର୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ଔଷଧ ଗୋଦାମକୁ ସେସବୁ ଯଥାଶୀଘ୍ର ଫେରାଇ ଦେବାପାଇଁ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ତ୍ରୁଟିପୂର୍ଣ୍ଣ ଇଞ୍ଜକସନ୍‌ ଯୋଗାଇଥିବା କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡାକ୍ତର ସୁପାରିସ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସେଫଟ୍ରିଆସ୍କାନେ – ୧୦୦୦ଏମ.ଜି ଇଞ୍ଜକସନ୍‌ ବୁଧବାର ଜିଲା ସଦର ହାସପାତାଳର ୫୯ ରୋଗୀଙ୍କୁ ଦିଆଯାଇଥିଲା। ଏହାର କିଛିସମୟ ପରେ ସଂପୃକ୍ତ ବ୍ୟକ୍ତିମାନେ ଅସୁସ୍ଥ ହୋଇ ପଡିଥିଲେ। ଇଞ୍ଜକସନ୍‌ ପ୍ରସ୍ତୁତି ତାରିଖ ଜୁଲାଇ ୨୦୧୯ ଥିବା ବେଳେ ବ୍ୟବହାର ଅବଧି ଜୁନ୍‌ ୨୦୨୧ରେ ଶେଷହେବ ବୋଲି ସେଥିରେ ଉଲେଖ କରାଯାଇଛି। ଜୟପୁରର ବିବେକ ଫାର୍ମାସେମ୍‌ ଇଣ୍ଡିଆ ଲିମିଟେଡ୍‌ ଏହାର ପ୍ରସ୍ତୁତକର୍ତ୍ତା ବୋଲି ଜଣାପଡ଼ିଛି। କିଛି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ରାତି ୧୧ଟା ସୁଦ୍ଧା ସୁଧାର ଆସିନଥିବା ଜଣାପଡିଛି।

Comments are closed.