ଆୟକର ବିଭାଗର ଚଢଉ; ଔଷଧ କମ୍ପାନୀ ପରିସରରୁ ଜବତ ହେଲା ୫୫୦ କୋଟି ଟଙ୍କା

ହାଇଦରାବାଦ: ଆୟକର ବିଭାଗର ଅଧିକାରୀମାନେ ଶନିବାର ଦିନ ଏଠାରେ ଥିବା ଏକ ଔଷଧ କମ୍ପାନୀ ଉପରେ ଚଢଉ କରିବା ପରେ କମ୍ପାନୀ ପରିସର ଏବଂ ବିଭିନ୍ନ ବ୍ୟାଙ୍କ ଲକରରୁ ଯେତିକି ଟଙ୍କା ଜବତ କରିଛନ୍ତି, ତାହା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ଉକ୍ତ ଔଷଧ କମ୍ପାନୀ ପରିସରରୁ ହିସାବ ବହିର୍ଭୁତ ନଗଦ ୫୫୦ କୋଟି ଟଙ୍କା ଜବତ ହୋଇଛି । ତଲାସି ସମୟରେ ବିଭିନ୍ନ ବ୍ୟାଙ୍କ ଲକର ମଧ୍ୟ ଠାବ କରାଯାଇଥିଲା, ଯେଉଁଥିରୁ ୧୬ଟି ଲକର କାର୍ଯ୍ୟକ୍ଷମ ରହିଛି । ଆୟକର ବିଭାଗ ଅଧିକାରୀମାନେ ଚଳିତ ଅକ୍ଟୋବର ୬ ତାରିଖ ଦିନ ୬ଟି ରାଜ୍ୟରେ ୫୦ଟି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ଏହି ଚଢଉରୁ ବିପୁଳ ପରିମାଣରେ ନଗଦ ଅର୍ଥ ଲୁଚାଇ ରଖାଯାଇଥିବା ଜଣାଯାଇଛି । ଏଥିସହିତ କେତେକ ପେନ ଡ୍ରାଇଭ, ଇଲେକଟ୍ରୋନିକ ଦଲିଲ ଆଦି ମିଳିଛି, ଯେଉଁଥିରେ ଆପତ୍ତିଜନକ ତଥ୍ୟ ପ୍ରମାଣ ରହିଥିବା ଦେଖିବାକୁ ମିଳିଛି । ସେଥିରେ ନଗଦ ଅର୍ଥ ଦେଇ ବହୁ ପରିମାଣର ଜମି କିଣାଯାଇଥିବା ପ୍ରମାଣ ରହିଛି । ଆୟକର ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ ଔଷଧ କମ୍ପାନୀ ଆମେରିକା, ୟୁରୋପ, ଦୁବାଇ, ଆଫ୍ରିକୀୟ ରାଷ୍ଟ୍ରଗୁଡିକୁ ରପ୍ତାନି କରିଥାନ୍ତି ।

Comments are closed.