ଗଞ୍ଜାମକୁ ଆସିଲା ୫୦ ହଜାର ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦେଖା ଦେଇଥିବା କୋଭିଡ ଟିକା ଅଭାବ ପରିସ୍ଥିତିରେ ଆଂଶିକ ସମାଧାନ ହୋଇଛି। ଜିଲାକୁ ୫୦ ହଜାର କୋଭିସିଲ୍‌ଡ ଟିକା ପହଞ୍ଚିଛି। ଫଳରେ ଆଜି ଜିଲାରେ ଟିକାକରଣ ସାମାନ୍ୟ ସ୍ବାଭାବିକ ହୋଇପାରିଛି। ଗୋଟିଏ ଦିନରେ ୭ହଜାର ୯୮୭ଜଣଙ୍କୁ ଟିକା ଦିଆଯାଇଛି। ତଥାପି ପହଞ୍ଚିଥିବା ଟିକା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି। ଜିଲାରେ ଦୈନିକ ହାରାହାରି ୨୫ରୁ ୩୦ ହଜାର ଟିକାକରଣ ହେଉଥିଲା। ଆସିଥିବା ଟିକା ମଧ୍ୟ କେତେ ଦିନ ଚଳିବ, ତାହାକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ଜିଲାରେ ୧୫ଟି ବ୍ଲକରେ ଗୁରୁବାର ଟିକାକରଣ ହୋଇପାରି ନାହିଁ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବ୍ରହ୍ମପୁର ସହରରେ ସର୍ବାଧିକ ୩ହଜାର ୮ଶହ ଟିକା ଦିଆଯାଇଛି। ଗତ ଦୁଇଦିନ ହେଲା ଟିକାକରଣ ବନ୍ଦ ରହିଥିଲା। ଗୁରୁବାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଲମ୍ବା ଧାଡ଼ିରେ ଛିଡା ହୋଇ ସହରବାସୀ ଟିକା ନେଇଥିଲେ। ଘରୋଇ ହସ୍‌ପିଟାଲରେ ୧୨୩ଜଣ ଟିକା ନେଇଛନ୍ତି। ଚିକିଟି ବ୍ଲକରେ ୫୬୧ଜଣ ଟିକା ନେଇଥିବା ବେଳେ ଧରାକୋଟ ବ୍ଲକରେ ୪୦୫, ହିଂଜିଳିକାଟୁ ବ୍ଲକରେ ୧୧୯୮, ଖଲିକୋଟ ବ୍ଲକରେ ୧୮୭, କୁକୁଡ଼ାଖଣ୍ଡି ବ୍ଲକରେ ୬୮୪, ପୋଲସରା ବ୍ଲକରେ ୨୦୨, ରଙ୍ଗେଇଲୁଣ୍ଡା ବ୍ଲକରେ ୬୨୪ ଏବଂ ସୋରଡ଼ା ବ୍ଲକରେ ୨୦୩ଜଣ ଟିକା ନେଇଛନ୍ତି। ଟିକାକରଣ ବନ୍ଦ ରହିଥିବା ବ୍ଲକ ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ହେଲା, ଶେରଗଡ଼, ସାନଖେମୁଣ୍ଡି, ପୁରୁଷୋତ୍ତମପୁର, ପାତ୍ରପୁର, କବିସୂର୍ୟ୍ୟନଗର, ଜଗନ୍ନାଥପ୍ରସାଦ, ଗଞ୍ଜାମ, ଦିଗପହଣ୍ଡି, ଛତ୍ରପୁର, ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ବୁଗୁଡ଼ା, ଭଞ୍ଜନଗର, ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ବେଲଗୁଣ୍ଠା, ବେଗୁନିଆପଡ଼ା, ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର। ସେହିଭଳି ଗୁରୁବାର ସୁଦ୍ଧା ଜିଲାରେ ୪୫ରୁ ୬୦ ବର୍ଷ ବୟସ୍କ ୧ଲକ୍ଷ ୧୩ହଜାର ୫୭୦ଜଣ ପ୍ରଥମ ଡୋଜ୍‌ ଏବଂ ୫୦୩ଜଣ ଦ୍ବିତୀୟ ଡୋଜ ଟିକା ନେଇଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ବ ୧ଲକ୍ଷ ୯୪ହଜାର ୮୫୦ଜଣ ପ୍ରଥମ ଡୋଜ ଏବଂ ୭ହଜାର ୯୬୯ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ଜିଲାରେ ମୋଟ ୯ଲକ୍ଷ ୭୫ହଜାର ୬୦୭ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ଲକ୍ଷ ୮ହଜାର ୪୨୦ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି, ଯାହା ଧାର୍ୟ୍ୟ ଲକ୍ଷ୍ୟର ୩୧.୬ପ୍ରତିଶତ।

Comments are closed.