ଶାହାଙ୍କ ପଥରେ ନଡ୍ଡା : ୨୦୨୪ ସୁଦ୍ଧା ଭୋଟ ହାର ୫୦%ରେ ପହଞ୍ଚାଇବା ବିଜେପିର ଲକ୍ଷ୍ୟ

ଭୁବନେଶ୍ଵର: ଉପଲକ୍ଷ୍ୟ ଥିଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଜଗତପ୍ରକାଶ ନଡ୍ଡା । ଏହି ଅବସରରେ ଦଳୀୟ ଆଲୋଚନା, ସମୀକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗରେ   ଶ୍ରୀ ନଡ୍ଡା କର୍ମୀମାନଙ୍କୁ ଅନେକ କଥା କହିଲେ, ଅନେକ ଉପଦେଶ ଦେଲେ, କିଛି କାମ କରିବାକୁ ପରାମର୍ଶ ଦେଲେ । ହେଲେ ଏହା ଭିତରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥାଟି ଥିଲା ରାଜ୍ୟର ସଙ୍ଗଠନର ଦୃଢ଼ୀକରଣ ଓ ଭୋଟହାର ବୃଦ୍ଧି ସମ୍ପର୍କରେ । କାର୍ଯ୍ୟକାରିଣୀରେ ସେ ରାଜ୍ୟର ଶାସକ ଦଳ ସମ୍ପର୍କରେ ପଦଟିଏ ବି ଉଚ୍ଚାରଣ କରି ନାହାନ୍ତି, କିନ୍ତୁ ରାଜ୍ୟରେ ୨୦୨୪ରେ ସରକାର ଗଠନର ସ୍ବପ୍ନ ଦଳର କର୍ମୀଙ୍କୁ ଦେଖାଇଛନ୍ତି । ୨୦୨୪ ସୁଦ୍ଧା ଦଳର ଭୋଟହାର ୫୦%ରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଦଳୀୟ ନେତା ଓ କାର୍ଯ୍ୟକର୍ତାମାନଙ୍କୁ ଦେଇଛନ୍ତି ଦାୟିତ୍ଵ । ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଏବର ଗୃହ ମନ୍ତ୍ରୀ ଅମିତ୍ ଶାହା ଓଡ଼ିଶାରେ ସରକାର ଗଢ଼ିବାର ଯେଉଁ ନିଅଁ ପକାଇଥିଲେ, ସେଇ ନିଅଁ ଉପରେ ସୁଉଚ୍ଚ ଅଟ୍ଟାଳିକା ଗଢ଼ିବା ପାଇଁ ଶ୍ରୀ ନଡ୍ଡା ରାଜ୍ୟର ନେତାଙ୍କୁ ଦେଇଛନ୍ତି ଦାୟିତ୍ଵ ।

ଶ୍ରୀ  ନଡ୍ଡା କହିଛନ୍ତି ଯେ ଦୀର୍ଘ ରାଜନୈତିକ ଲଢେଇ ପରେ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ % ଭୋଟ ମିଳିଥିବାବେଳେ ୨୦୧୯ରେ ଏହା  ୩୮ %କୁ ବୃଦ୍ଧି ପାଇଛି।  ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ % ଭୋଟ ମିଳିଥିବାବେଳେ ୨୦୧୯ ରେ ଏହା ୩୨ % ବୃଦ୍ଧି ପାଇଛି । ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି । ୩୩ ଟି ଅନୁସୂଚିତ ଜାତି ଓ  ଜନଜାତିର ବିଧାନସଭାକ୍ଷେତ୍ରରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏହାକୁ ଆଗକୁ ବଢ଼ାଇବାକୁ ହେବ ଏବଂ ୨୦୨୪ ମସିହା ସୁଦ୍ଧା ଭୋଟ ଅନୁପାତ ୫୦%ରେ ପହଞ୍ଚାଇବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ନଡ୍ଡା।

ଏହି ଅବସରରେ ସେ ଦେଶରେ କୋବିଡ଼ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ଭୂମିକା ଓ ୟୁନିସେଫର ପ୍ରଶଂସା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଜାତୀୟ ଶିକ୍ଷାନୀତି ୨୦୨୦କୁ ଦେଶର ଭାଗ୍ୟ ବଦଳାଇବା ପରି ପଦକ୍ଷେପ ବୋଲି କହିଛନ୍ତି । କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ, ୮୦ କୋଟି ଗରିବ ଲୋକଙ୍କୁ ମାର୍ଚରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ, ଡ଼ାଲି ଯୋଗାଣ, ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ, ୨୦ କୋଟି ଗରିବ ଲୋକଙ୍କୁ ଜନଧନ ଯୋଜନାରେ ୧୫୦୦ ଟଙ୍କା ଲେଖାଏ ସହାୟତା, ଚାଷୀଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରସଙ୍ଗ ଉଲ୍ଲେଖ କରି ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଅନୁରୂପ ଭାବରେ ଶ୍ରୀ ନଡ୍ଡା ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନାରେ ୮ କୋଟି ୭୪ ଲକ୍ଷ ଚାଷୀଙ୍କୁ ୧୭ ହଜାର କୋଟି  ଟଙ୍କା ସହାୟତା, କୃଷି ଭିତିକ ଭିତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା  ଯୋଜନା, ଉଠାଦୋକାନୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ୧୦ ହଜାର ଟଙ୍କିଆ ଋଣ,  ଓଡ଼ିଶାର ୫ ଜିଲାରେ ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ, ପ୍ରସ୍ତାବିତ ଡ଼ିଜିଟାଲ ସ୍ବାସ୍ଥ୍ୟ ମିଶନ,  ୪୫୧ କି.ମି ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର ଉପକୂଳ ସଡକ ପଥ ନିର୍ମାଣ ପାଇଁ ୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ,  ୨୯୦ କି.ମି. ଦୀର୍ଘ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୫୧ କୋଟି ଅନୁଦାନ,  କଟକ- ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ ନିମନ୍ତେ କେନ୍ଦ୍ରୀୟ ଅନୁଦାନ କଥା ରାଜ୍ୟର ନେତା ଓ କାର୍ଯ୍ୟକର୍ତାଙ୍କୁ ସ୍ମରଣ କରାଇ ଦେବା ସହ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ଏହାକୁ ଆଧାର କରି ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ନଡ୍ଡା।

ଏହି କାର୍ଯ୍ୟକାରିଣୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳର ସାଂସଦ, ବିଧାୟକ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ଜିଲାର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

Comments are closed.