ଠାକୁରଙ୍କୁ ଠକେଇ: ତିରୁପତି ବାଲାଜୀ ମନ୍ଦିର ହୁଣ୍ଡିରେ ୫୦ କୋଟି ପୁରୁଣା ନୋଟ୍

ତିରୁପତି: ଗତ ୨୦୧୬ ନଭେମ୍ବର ମାସରୁ ବିମୁଦ୍ରାୟନ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇ ଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ତିରୁପତି ବାଲାଜୀ ମନ୍ଦିର ହୁଣ୍ଡିରେ ଲୋକମାନେ ପୁରୁଣା ନୋଟ୍ ପକାଉଥିବା ଦେଖିବାକୁମିଳିଛି । ଗତ କିଛି ମାସରେ ତ ଏହି ପରିମାଣ ବେଶ୍ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ତିରୁପତି ବାଲାଜୀ ମନ୍ଦିରରେ ପ୍ରାୟ ୫୦ କୋଟି ଟଙ୍କାର ପୁରୁଣା ନୋଟ ଗଚ୍ଛିତ ଅଛି । ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ୱାଇ ବି ସୁବ୍ବାରେଡ଼ୀ ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏହି ପୁରୁଣା ନୋଟ ବଦଳାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ତେବେ ଅଚଳ ନୋଟ କାହିଁକି ଲୋକମାନେ ମନ୍ଦିରକୁ ଦାନ ଦେଲେ ତାହା ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।

ତିରୁପତି ବାଲାଜୀ ମନ୍ଦିରକୁ ବର୍ଷକୁ ହଜାର ହଜାର କୋଟି ଟଙ୍କାର ଦାନ ମିଳିଥାଏ । ଦେଶବିଦେଶରୁ ବହୁ ଭକ୍ତ ଦାନ ପ୍ରଦାନ କରିଥାଆନ୍ତି । କିଛିଦିନ ତଳେ ଜଣେ ଭକ୍ତ ୨ କିଲୋ ପରିମାଣର ସୁନା ଦାନ କରିଥିବା ଖବର ପ୍ରକାଶିତ ହୋଇଥିଲା । କରୋନା ଓ ଲକ୍ଡ଼ାଉନ ଯୋଗୁଁ ତିରୁପତି ମନ୍ଦିର ଦାନ ଯଥେଷ୍ଟ ହ୍ରାସ ପାଇଛି । ୧୧ ଜୁନରେ ମନ୍ଦିର ଖୋଲିବା ପରେ ଗତ ୧ ମାସ ମଧ୍ୟରେ ମନ୍ଦିରକୁ ପ୍ରାୟ ୧୭କୋଟି ଟଙ୍କା ଦାନ ମିଳିଛି । ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ପରି ଓ କରୋନା ପୂର୍ବରୁ ଆସୁଥିବା ମାସିକ ଦାନର ଏହା ୧୦%ରୁ କମ୍ । ଏହାବ୍ୟତୀତ ଏହି ସମୟରେ ବିମୁଦ୍ରାୟନ ସମୟ ପୂର୍ବରୁ ୫୦୦ ଓ ୧୦୦୦ ଟଙ୍କା ମଧ୍ୟ ଦାନବାକ୍ସରେ ପଡ଼ିଥିବା ଦେଖାଯାଇଛି । ଶ୍ରୀ ସୁବ୍ବାରେଡ଼ଡ଼ୀଙ୍କ ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ମନ୍ଦିର ଟ୍ରଷ୍ଟ ନିକଟରେ ୫୦ କୋଟି ଟଙ୍କାରୁ ଅଧିକ ପୁରୁଣା ନୋଟ ଗଚ୍ଛିତ ଅଛି । ଏହାକୁ ନଷ୍ଟ କରାଯାଇ ପାରୁନାହିଁ , ଅନ୍ୟପକ୍ଷରେ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସମସ୍ୟା ରହିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଲେ ତାହା ମନ୍ଦିର ନିମନ୍ତେ ଆଶ୍ବାସନାର ବିଷୟ ହୋଇପାରନ୍ତା । ମନ୍ଦିର ଲୋକସମ୍ପର୍କ ଅଧିକାରୀ ଟି. ରବିଙ୍କ ସୂଚନା ଅନୁସାରେ ଏ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ, କିମ୍ବା ସେ ଏ ସମ୍ପର୍କରେ କିଛି କହିବାକୁ ଅଧିକାରପ୍ରାପ୍ତ ନୁହନ୍ତି ।

Comments are closed.