ତିନି ମାସ ପରେ ଏକୁଟିଆ ଫେରିଲେ ବିହାନ୍‌

ବେଙ୍ଗାଲୁରୁ: ଦୀର୍ଘ ଦୁଇ ମାସ ପରେ ବିମାନ ଚଳାଚଳ ସହିତ ଏକ ରୋମାଞ୍ଚକର କାହାଣୀ ଯୋଡ଼ିଛି ୫ବର୍ଷର ବାଳକ ବିହାନ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ଓ ତିନି ମାସ ପରେ ମା’ଙ୍କ ସହିତ ମିଳନ ଘଟଣା । ବିହାନ୍‌ ଏକାକୀ ଦିଲ୍ଲୀରୁ ‘ସ୍ପେସିଆଲ କାଟାଗୋରୀ’ ଟିକଟରେ ଆସି ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ଅପେକ୍ଷାରତ ମା’ ମଞ୍ଜୁଷୀଙ୍କ କୋଳରେ ଲୋଟିଯିବାର ଦୃଶ୍ୟ ଅନେକଙ୍କୁ ଭାବବିହ୍ବଳ କରିଦେଇଛି । ବିହାନ୍‌ ତାଲାବନ୍ଦ ଘୋଷଣା ପୂର୍ବରୁ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଯାଇଥିଲେ । ହଠାତ୍‌ ତାଲାବନ୍ଦ ଘୋଷଣା ସହ ବିମାନ ଚଳାଚଳ ବନ୍ଦ ହୋଇଯିବାରୁ ସେ ଫେରିପାରି ନ ଥିଲେ । ବାପା-ମାଆ’ଙ୍କ ନିକଟକୁ ଫେରିବା ପାଇଁ ବ୍ୟାକୁଳ ବିହାନ ବହୁ କଷ୍ଟରେ ସେଠାରେ ଅଟକି ରହିଥିଲେ। ଏଭଳି ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ଥିବା ସଂଖ୍ୟାଧିକ ଯାତ୍ରୀ ସୋମବାର ନିଜ ସ୍ଥାନକୁ ଫେରିବାର ସୁଯୋଗ ପାଇଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ବିହାନ୍‌। ତାଙ୍କର ଫେରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବା ୯ଟି ବିମାନ ବାତିଲ ହୋଇଯାଇଥିଲା। ପୂର୍ବାହ୍ଣରେ ୫ଟି ବିମାନ ଅବତରଣ କରିଥିଲା ଓ ଶେଷଟିରେ ଆସିଥିଲେ ବିହାନ। ସେ ଏକାକୀ ଦିଲ୍ଲୀରୁ ବିମାନରେ ଆସିଥିଲେ ମଧ୍ୟ ଭୟଭୀତ ହୋଇ ନ ଥିଲେ। ଏକୁଟିଆ ଆସୁଥିବା ଏଭଳି କୁନି ଯାତ୍ରୀଙ୍କୁ ଦେଖି ଅନ୍ୟ ଯାତ୍ରୀମାନେ ମଧ୍ୟ ବିସ୍ମିତ ହୋଇପଡ଼ିଥିଲେ।

Comments are closed.