୫-ଟି ସଚିବଙ୍କ ସୁଆଣ୍ଡୋ ଗସ୍ତ : ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

‘ସମାଜ ପୋର୍ଟାଲ’ ପ୍ରଭାବ

ସାକ୍ଷୀଗୋପାଳ :  ୫- ଟି ସଚିବ ଭି. କେ ପାଣ୍ଡିଆନ ଶନିବାର ସନ୍ଧ୍ୟାରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ଗସ୍ତରେ ଆସି ସୁଆଣ୍ଡୋରେ ବିକାଶ ଓ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେ ସୁଆଣ୍ଡୋ ଗ୍ରାମର ବିକାଶ ଓ ପାରିପାର୍ଶ୍ଵିକ ଉନ୍ନୟନ କାର୍ୟ୍ୟ ପରିଦର୍ଶନ କରିଥିଲେ । ଆସନ୍ତା ୨୦୨୨ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ନିମନ୍ତେ ଉପସ୍ଥିତ ଓଡିଶା ସେତୁ ନିର୍ମାଣ ନିଗମର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଏହି ଅବସରରେ ସଚିବ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନା ଯୋଗ୍ୟ ଗତକାଲି ‘ସମାଜ ପୋର୍ଟାଲ’ରେ ‘ରାତି ପାହିଲେ ଉତ୍କଳମଣିଙ୍କ ଜୟନ୍ତୀ, ସରିଲାନି ଉନ୍ନୟନ କାର୍ୟ୍ୟ’ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପରେ ୫- ଟି ସଚିବ ଆଜି ଘଟଣା ସ୍ଥଳରେ ପହଞ୍ଚିଲେ। ସୁଆଣ୍ଡୋରେ ବିକାଶ ଓ ଉନ୍ନୟନ କାର୍ଯ୍ୟ ସେ ଅନୁଧ୍ୟାନ କରିଥିଲେ।

ସୂଚନା ଯୋଗ୍ୟ  ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ନିମନ୍ତେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉଦ୍ୟମରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରି ଅନୁଦାନ ପ୍ରଦାନ କରିଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ, ତତ୍କାଳୀନ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଓ ବର୍ତ୍ତମାନର ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ହେବାକୁ ଥିବା ସମସ୍ତ ବିକାଶ ଓ ଉନ୍ନୟନ କାର୍ୟ୍ୟ ଚଳିତ ଜୟନ୍ତୀ ଉତ୍ସବ ପୂର୍ବରୁ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।


ଆଜି ଉତ୍କଳମଣିଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅବସରରେ ସମସ୍ତ ପ୍ରକଳ୍ପ ଶେଷ ହେବା ଦୂରେ ଥାଉ ଆଜି ପର୍ୟ୍ୟନ୍ତ ଅନେକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଉତ୍କଳମଣିଙ୍କ ଜନ୍ମପୀଠ ଓ ସୁଆଣ୍ଡୋ ଗ୍ରାମର ବିକାଶ ଓ ପାରିପାର୍ଶ୍ଵିକ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଓଡିଶା ରାଜ୍ୟ ସେତୁ ନିର୍ମାଣ ନିଗମ ଏହି କାର୍ଯ୍ୟାଦେଶ ନେଇଛନ୍ତି । ସୁଆଣ୍ଡୋ ଗ୍ରାମର ଶୈବପୀଠ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର କାର୍ଯ୍ୟ,ସଂଗ୍ରହାଳୟ ନିର୍ମାଣ ଓ ଗୋଟିଏ ପୁଷ୍କରିଣୀ ଖନନ କାର୍ୟ୍ୟ ଆରମ୍ଭ ହୋଇଅଛି।

ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାଇକିଆ-ସୁଆଣ୍ଡୋ ରାସ୍ତାର ପଟ୍ଟନାଇକିଆ ଛକରେ ନିର୍ମାଣ ହେବାକୁ ଥିବା ସୂଚନା କେନ୍ଦ୍ର, ସୁଆଣ୍ଡୋ ଠାରେ ଉତ୍କଳମଣିଙ୍କ ଷଠୀଗୃହର ବିକାଶ ଓ ପୁନଃରୁଦ୍ଧାର, ଦୋକାନ ଗୃହ ନିର୍ମାଣ, ଯାନବାହାନ ରଖିବା ସ୍ଥାନ, ଗ୍ରାମ ରାସ୍ତା, ଶିଶୁ ପ୍ରମୋଦ ଉଦ୍ୟାନ, ଆଉ ଏକ ପୁଷ୍କରିଣୀ ଓ ରାଜ୍ୟର ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ।

ଭାର୍ଗବୀ ନଦୀର ସୁଆଣ୍ଡୋ ସେତୁ ଠାରୁ ସୁଆଣ୍ଡୋ ଗ୍ରାମ ଦେଇ ବିଦ୍ୟାଧର ପୁର ପର୍ଯ୍ୟନ୍ତ ୧.୭ କିଲୋମିଟର ୨ ଥାକିଆ ରାସ୍ତା ନିର୍ମାଣ ନିମନ୍ତେ ୪.୫ କୋଟି ଟଙ୍କା ଅନୁଦାନ ମିଳିଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ହୋଇଛି । ସୁଆଣ୍ଡୋ ସେତୁ ଠାରୁ ସୁଆଣ୍ଡୋ ଗ୍ରାମ ପର୍ୟ୍ୟନ୍ତ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ବାଲି ପୋତା କାର୍ଯ୍ୟ ଅସମ୍ପୂର୍ଣ ଅବସ୍ଥାରେ ହୋଇଛି । ଅବଶିଷ୍ଟ ରାସ୍ତା ନିମନ୍ତେ ଆଦୌ କୌଣସି କାର୍ଯ୍ୟ ହୋଇନାହିଁ ।

Comments are closed.