ରାଜ୍ୟରେ ଆଜି ସର୍ବାଧିକ ୫ ଜଣଙ୍କ ଜୀବନ ନେଲା କରୋନା, ୩୪ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଶନିବାର ମୃତ୍ୟୁ ବରଣ କରିଥିବା ୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଶନିବାର ମୃତ୍ୟୁବରଣ କରିଥିବା ୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲାରୁ ୨ ଜଣ ରହିଛନ୍ତି। ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୫୦ ବର୍ଷ ବୟସ୍କ ପୁରୁଷ ଜଣଙ୍କ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିପରି ଜିଲାରୁ ମୃତ୍ୟୁ କରିଥିବା ଅନ୍ୟ ଦୁଇ ମୃତକ ୨୭ ବର୍ଷ ଏବଂ ୩୫ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡିଛି। ଖୋର୍ଦ୍ଧା ଜିଲାରୁ ମୃତ୍ୟୁ ବରଣ କରିଥିବା ଦୁଇ ମୃତକ ଭୁବନେଶ୍ବରର ବୋଲି ଜଣାପଡିଛି । ଭୁବନେଶ୍ବରର ୫୧ ବର୍ଷ ବୟସ୍କ ପୁରୁଷ ଜଣଙ୍କ ପ୍ଲୁରାଲ୍ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ସେହିଭଳି ୬୪ ବର୍ଷ ବୟସ୍କ ଅନ୍ୟ ଜଣେ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ ।


ଶନିବାର ଗଞ୍ଜାମରେ ୩ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ଫଳରେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧା ଜିଲାରେ ୭କୁ ବୃଦ୍ଧି ପାଇଛି । କଟକ ଜିଲାରେ ୪, ପୁରୀ ଜିଲାରୁ ଜଣେ, ବରଗଡ ଜିଲାରୁ ଜଣେ, ଅନୁଗୋଳ ଜିଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।


ସୂଚନାଯୋଗ୍ୟ  ରାଜ୍ୟରେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ପହଞ୍ଚିଛି । ଏଥିମଧ୍ୟରୁ ୨୮୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Comments are closed.