ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ୫ ଦେଶ

ସିଙ୍ଗାପୁର: ୟୁକ୍ରେନ ବିମାନ ଖସାଇବା ଇରାନକୁ ମହଙ୍ଗା ପଡ଼ିପାରେ। କାରଣ ଏହି ଘଟଣା ପାଇଁ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ୫ଟି ଦେଶ ଏକାଠି ହୋଇଛନ୍ତି। ବିମାନ ଦୁର୍ଘଟଣାରେ ଯେଉଁ ୫ଟି ଦେଶର ନାଗରିକ ପ୍ରାଣ ହରାଇଛନ୍ତି ସେହି ଦେଶଗୁଡ଼ିକ ଇରାନ ବିରୋଧରେ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ଗୁରୁବାର ଲଣ୍ଡନରେ ଏହି ୫ ଦେଶର ପ୍ରତିନିଧିମାନଙ୍କ ବୈଠକ ବସିବ। ୟୁକ୍ରେନର ବିଦେଶ ମନ୍ତ୍ରୀ ୱାଦିମ ପ୍ରିସ୍ତାୟକୋ ସିଙ୍ଗାପୁର ଗସ୍ତରେ ଆସିଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକରେ ଭାଗନେବାକୁ ଥିବା ଦେଶଗୁଡ଼ିକ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପରିଜନଙ୍କୁ କ୍ଷତିପୂରଣ ଏବଂ ଘଟଣାର ତଦନ୍ତକୁ ନେଇ ଆଲୋଚନା କରିବେ। ଏହି ଘଟଣା ପାଇଁ ଇରାନ ବିରୋଧରେ ପଦକ୍ଷେପ ନିଆଯିବ ସେ​‌ ନେଇ ବୈଠକରେ ମଧ୍ୟ ଆଲୋଚନା ହେବ।

ସୂଚନାଯୋଗ୍ୟ, ଗତ ବୁଧବାର ଇରାନ ସେନା ଭୁଲବଶତଃ କ୍ଷେପଣାସ୍ତ୍ର ମାଡ଼ କରି ୟୁକ୍ରେନର ଏକ ବିମାନ ଖସାଇ ଦେଇଥିଲା। ଏଥିରେ ଥିବା  ବିମାନ କର୍ମଚାରୀଙ୍କ ସମେତ ସମସ୍ତ ୧୭୬ ଜଣ ପ୍ରାଣ ହରାଇଥିଲେ। ଇରାନ ଏହି ଘଟଣା ପରେ ୟୁକ୍ରେନ ଏୟାରଲାଇନ୍ସକୁ ସଫେଇ ଦେଇ କହିଛି ଯେ, ବିମାନଟି ସମ୍ବେଦନଶୀଳ ସୈନ୍ୟ ଅଞ୍ଚଳ ନିକଟ ଦେଇ ଗତି କରୁଥିଲା। ଏହା ଉପରେ ପ୍ରିସ୍ତାୟକୋ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଏସବୁ ବାଜେ କଥା। ଆମ ବିମାନ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ଆକାଶ ମାର୍ଗ ଦେଇ ଯାଉଥିଲା। ସବୁ କିଛି ଠିକ୍‌ ଅଛି ଏବଂ ବିମାନକୁ ସେ ଅଟୋପାଇଲଟ୍‌ ମୋଡ୍‌ରେ ରଖିବାକୁ ଯାଉଛନ୍ତି ବୋଲି ପାଇଲଟ୍‌ ଶେଷ ଥର ପାଇଁ କହିଥିଲେ।

Comments are closed.