୪ର୍ଥ ଟେଷ୍ଟ ପୂର୍ବରୁ ଭାରତର ଚିନ୍ତା : ରାହାଣେଙ୍କ ଫର୍ମ ; ସୁନ୍ଦରଙ୍କ ଉପଯୋଗିତା

ବୁମ୍‌ରା, ସୁନ୍ଦରଙ୍କ ସ୍ଥାନରେ ଖେଳିପାରନ୍ତି ଉମେଶ, କୁଲଦୀପ୍‌

ଅହମ୍ମଦାବାଦ : ଆସନ୍ତା ୪ରୁ ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ୨-୧ରେ ଆଗୁଆ ରହି ସିରିଜ୍ ହାତେଇ ସାରିଛି। ୪ର୍ଥ ଟେଷ୍ଟକୁ ଭାରତ ଜିତିଲେ କିମ୍ବା ଡ୍ର ରଖିଲେ ମଧ୍ୟ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଗତ ୨ଟି ଟେଷ୍ଟରେ ଦୁଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବିଜୟୀ ହୋଇଥିଲା। ୪ର୍ଥ ଟେଷ୍ଟ ଜିତିବା ପାଇଁ ମଧ୍ୟ ଭାରତ ଫେଭରିଟ୍‌। ତଥାପି ୨ଟି ପ୍ରସଙ୍ଗ ନେଇ ଭାରତୀୟ ଦଳ ଏବେ ଚିନ୍ତାରେ ରହିଛି। ପ୍ରଥମଟି ହେଉଛି ୫ନଂ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟିଂ ଫର୍ମ ଏବଂ ଅନ୍ୟଟି ହେଉଛି ଅଲ୍‌ରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସୁନ୍ଦରଙ୍କ ଉପଯୋଗିତା।
ଅଜିଙ୍କ୍ୟ ରାହାଣେ ନିୟମିତ ଭାବେ ଭଲ ବ୍ୟାଟିଂ କରିବାରେ ସିଦ୍ଧହସ୍ତ। ତେବେ ଗତ ୧୭ଟି ଟେଷ୍ଟ ଇନିଂସରୁ ରାହାଣେ ମାତ୍ର ୨ଟି ଆଖିଦୃଶିଆ ଇନିଂସ ଖେଳିଛନ୍ତି। ପ୍ରଥମଟି ହେଉଛି ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଚମତ୍କାର ଶତକ ଏବଂ ୨ୟଟି ହେଉଛି ଇଂଲଣ୍ଡ ବିପକ୍ଷରେ ୨ୟ ଟେଷ୍ଟର ପ୍ରଥମ ଇନିଂସରେ ଚେନ୍ନଇ କଷ୍ଟସାଧ୍ୟ ପିଚ୍‌ରେ ୬୭ ରନ୍‌। ଫଳରେ ରୋହିତ ଶର୍ମାଙ୍କ ସହ ୧୬୨ ରନ୍‌ର ଭାଗିଦାରୀ କରିବା ଯୋଗୁଁ ଭାରତ ଏହି ମ୍ୟାଚ୍‌କୁ ଜିତି ପାରିଥିଲା। ଏହାସତ୍ତ୍ବେ ରାହାଣେଙ୍କ ପରି କରିତ୍‌କର୍ମା ବ୍ୟାଟ୍‌ସମ୍ୟାନ୍‌ ନିଶ୍ଚିତ ଭଲ ପ୍ରଦର୍ଶନ କରି ପାରିଥାଆନ୍ତେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ମେଲ୍‌ବୋର୍ଣ୍ଣ ଓ ଚେନ୍ନଇ ଇନିଂସକୁ ବାଦ୍‌ଦେଲେ ବାକି ୧୫ଟି ଇନିଂସରୁ ରାହାଣେ ୧୮.୯୩ ଆଭ୍‌ରେଜରେ ୨୬୫ ରନ୍ କରିଛନ୍ତି। ସେ ପ୍ରତି ଇନିଂସରେ ହାରାହାରି ୪୫ଟି ବଲ୍‌ ଖେଳିଥିବା ବେଳେ ପ୍ରାୟ ୧ ଘଣ୍ଟା କ୍ରିଜ୍‌ରେ ବିତାଇଛନ୍ତି। ଅର୍ଥାତ୍ ୧୫ଟି ଇନିଂସରେ ସେଟ୍‌ ହେବା ପରେ ମଧ୍ୟ ରାହାଣେ ବଡ଼ ସ୍କୋର୍ କରି ପାରିନାହାନ୍ତି। ମେଲ୍‌ବୋର୍ଣ୍ଣ ଟେଷ୍ଟ ପରେ ରାହାଣେ ସିଡ୍‌ନୀରେ ୨୨ ଓ ୪ ଏବଂ ବ୍ରିସ୍‌ବେନ୍‌ରେ ୩୭ ଓ ୨୪ ରନ୍ କରିଥିଲେ। ଚେନ୍ନଇ ଇନିଂସ ପରେ ରାହାଣେ ୧୦ ଓ ୭ ରନ୍‌ କରିଛନ୍ତି। ରାହାଣେଙ୍କ ଏପରି ଫର୍ମ ଭାରତୀୟ ଉପର ଅର୍ଡର ଓ ତଳ ଅର୍ଡର ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ଚାପ ପକାଉଛି। ତେଣୁ ରାହାଣେଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତ ଚିନ୍ତାରେ।
ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିବା ପରେ ୱାଶିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜଣେ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଦଳରେ ସାମିଲ ହୋଇଥିବା ୱାଶିଂଟନ ସୁନ୍ଦର ବୋଲିଂରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ତାଙ୍କ ପଦାର୍ପଣ ଇନିଂସରେ ବ୍ୟାଟିଂ ବଳରେ ସୁନ୍ଦର ଦଳକୁ ଜିତାଇଥିଲେ। ପରେ ଚେନ୍ନଇ ଟେଷ୍ଟର ପ୍ରଥମ ଇନିଂସ​‌େ​‌ର ଚାପରେ ଥାଇ ସୁନ୍ଦର ଅପରାଜିତ ୮୫ ରନ୍ କରିଥିଲେ। ହେଲେ ସୁନ୍ଦର ବୋଲିଂ ଅଲ୍‌ରାଉଣ୍ଡର ଭାବେ ନିଜକୁ ପ୍ରମାଣିତ କରି ପାରିନାହାନ୍ତି। ଅଦ୍ୟାବଧି ସୁନ୍ଦର ମୋଟ ୫ଟି ଇନିଂସରେ ୭୬.୪ ଓଭର ବୋଲିଂ ୯୨ ଷ୍ଟ୍ରାଇକ୍‌ରେଟ୍‌ରେ ମାତ୍ର ୫ଟି ୱିକେଟ ନେଇଛନ୍ତି। ଏହି ୫ଟି ଇନିଂସରେ ସୁନ୍ଦର ଓଭର ପିଛା ୩.୫ ରନ୍‌ ବ୍ୟୟ କରିଛନ୍ତି। ତେଣୁ ଦଳର ୩ୟ ସ୍ପିନର ଭାବେ ସୁନ୍ଦର ନା ନିୟମିତ ଭାବେ ୱିକେଟ ନେଇଛନ୍ତି ନା ରନ୍ ରୋକି ପାରିଛନ୍ତି। ଚେନ୍ନଇରେ ପ୍ରଥମ ଟେଷ୍ଟରେ ସୁନ୍ଦର ୨ୟ ଇନିଂସରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିବା ବେଳେ ୩ୟ ଟେଷ୍ଟର ୨ୟ ଇନିଂସରେ ମାତ୍ର ୪ଟି ବଲ୍‌ ପକାଇଥିଲେ। ଏହା ସତ ଯେ ସୁନ୍ଦର ଜଣେ ଉପଯୋଗୀ ବ୍ୟାଟ୍‌ସମ୍ୟାନ୍। ତେବେ ବୋଲିଂରେ ସଫଳ ନହେଲେ ସୁନ୍ଦର ଟେଷ୍ଟମ୍ୟାଚ୍‌ ଖେଳିବା ଅସମ୍ଭବ। ତେଣୁ ଟେଷ୍ଟମ୍ୟାଚ୍‌ ଦଳରେ ୱାଶିଂଟନ ସୁନ୍ଦରଙ୍କ ଉପଯୋଗିତା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ଏବଂ ଏହା ଭାରତୀୟ ଦଳର ଚିନ୍ତାର କାରଣ ପାଲଟିଛି। ତେଣୁ ୪ର୍ଥ ଟେଷ୍ଟରେ ସୁନ୍ଦରଙ୍କ ସ୍ଥାନରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଖେଳିବାର ସମ୍ଭାବନା ଅଧିକ।

ଏହି ଟେ​‌ଷ୍ଟ ମ୍ୟାଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କ ସ୍ଥାନରେ ଉମେଶ ଯାଦବ ଓ ସ୍ପିନର ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ୍‌ ଯାଦବଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ବ୍ୟକ୍ତିଗତ କାରଣରୁ ବୁମରା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରୁ ଓହରି ଯାଇଥିବା ବେଳେ ସଂପୂର୍ଣ୍ଣ ଫିଟ୍‌ ହୋଇ ଭାରତୀୟ ଦଳରେ ସ୍ଥାନ ପାଇଥିବା ଉମେଶ ଯାଦବ ତାଙ୍କ ସ୍ଥାନରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଖେଳାଯିବା ସମ୍ଭାବନା ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ବ୍ୟବହୃତ ହେବାକୁ ଥିବା ପିଚ୍‌ କିପରି ବ୍ୟବହାର କରିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହି ଷ୍ଟାଡ଼ିୟମରେ ଖେଳାଯାଇଥିବା ୩ୟ ଟେଷ୍ଟ ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ନେଇ ବିଭିନ୍ନ ମହଲରେ ନାନା ସମାଲୋଚନା କରାଯାଇଥିଲା। ତୃତୀୟ ଟେ​‌ଷ୍ଟ ମ୍ୟାଚ୍‌ ଦୁଇଦିନ ମଧ୍ୟରେ ଶେ​‌ଷ ହୋଇଥିବା ବେଳେ ସ୍ପିନରମାନେ ପ୍ରଭାବ ବିସ୍ତାର କରିଥିଲେ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ପ୍ରସ୍ତୁତ ହେବାକୁ ଥିବା ପିଚ୍‌ ବ୍ୟାଟସମ୍ୟାନ୍‌ଙ୍କୁ ଅଧିକ ସହାୟକ ହେବ ବୋଲି ଆଲୋଚନା ହେଉଥିବା ବେଳେ ପୁନର୍ବାର ସ୍ପିନରଙ୍କୁ ସହାୟକ ହେବା ଭଳି ପିଚ୍‌ ପ୍ରସ୍ତୁତ କରାଯାଉଥିବା ଆଉ କେତେକ ମହଲରେ ଚର୍ଚ୍ଚା ହେଉଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ଯେଉଁ ପିଚ୍‌ ବ୍ୟବହାର କରାଯିବାର ଅଛି ସେହି ପିଚ୍‌ରେ ବର୍ତ୍ତମାନ ବେଶ୍‌ କିଛି ଘାସ ରହିଥିବା ଦେଖିବାକୁ ମିଳୁଛି। ତେବେ ମ୍ୟାଚ୍‌ ପୂର୍ବରୁ ଘାସ କଟାଯାଇ ପିଚ୍‌କୁ ସ୍ପିନରଙ୍କ ଉପଯୋଗୀ କରାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଯେପରି ପିଚ୍‌ ବ୍ୟବହୃତ ହୋଇଥିଲା ତାହାକୁ ନାପସନ୍ଦ କରିଥିଲେ ଇଂଲଣ୍ଡର ଅନେକ ପୂର୍ବତନ କ୍ରିକେଟର୍‌। ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ ନିଜ ପ୍ରତିକ୍ରିୟାରେ କହିଥିଲେ ଏପରି ପିଚ୍‌ ପ୍ରସ୍ତୁତ କରିଥିବା ବିସିସିଆଇକୁ ଦଣ୍ଡିତ କରିବାର କ୍ଷମତା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ନାହିଁ। ଅନ୍ୟପକ୍ଷରେ ଭାରତୀୟ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ କହିଛନ୍ତି ଭାରତୀୟ ପିଚ୍‌ରେ ବଲ୍‌ ସ୍ପିନ୍‌ କରିବା ସ୍ବାଭାବିକ। ଯଦି ଇଂଲଣ୍ଡ ଦଳର ବ୍ୟାଟସମ୍ୟାନ୍‌ମାନେ ଏଭଳି ପିଚ୍‌ରେ ବ୍ୟାଟିଂ କରିପାରୁ ନାହାନ୍ତି ତାହା ଅର୍ଥ ନୁହେଁ ପିଚ୍‌ ବିପଜ୍ଜନକ।

Comments are closed.