ସ୍ବାଗତଯୋଗ୍ୟ: ସ୍କୁଲ୍‌ ଖୋଲୁ; କିନ୍ତୁ  ସରକାରଙ୍କ ଦ୍ବାରା ଜାରି କୋଭିଡ୍-୧୯ ମାର୍ଗଦର୍ଶିକାକୁ ଶିକ୍ଷକ-ଶିକ୍ଷାର୍ଥୀ ପାଳନ କରିବା ଜରୁରୀ

ନୂଆବର୍ଷ ଆରମ୍ଭରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଇତିମଧ୍ୟରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପୁଡୁଚେରି, ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ଆଂଶିକ ଭାବେ ବିଦ୍ୟାଳୟ ଖୋଲାଯାଇଛି। ଆସାମରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍କୁଲ୍‌ ଆସିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ନିମନ୍ତେ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ ଜାନୁଆରୀ ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ପାଠ ପଢ଼ାଯିବ। ଶନିବାର ଓ ରବିବାର ମଧ୍ୟ ସ୍କୁଲ୍‌ ଖୋଲାଯିବ। ତେବେ ଆବଶ୍ୟକତା ଅନୁଯାୟୀ ଛୁଟି ଦିନ ଘୋଷଣା କରାଯିବ। ମୋଟ ୧୦୦ ଦିନ ପାଠ ପଢ଼ାଯିବା ପାଇଁ ଯୋଜନା କରାଯାଇଛି। ମେ ୩ରୁ ମାଟ୍ରିକ ଓ ମେ ୧୫ରୁ ଯୁକ୍ତଦୁଇ ପରୀକ୍ଷା ଆୟୋଜନ ପାଇଁ ଘୋଷଣା କରାଯାଇଛି। କହିବା ବାହୁଲ୍ୟ ଯେ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ ଅନେକ ସର୍ବଭାରତୀୟ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିବାକୁ ଥିବାରୁ ଏହି ପାଠପଢ଼ାର ଗୁରୁତ୍ବ ସର୍ବାଧିକ।

ଅବଶ୍ୟ ପିଲାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ସର୍ବୋପରି। ଗତବର୍ଷ ମାର୍ଚ୍ଚ ମାସରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀମାନେ ଶ୍ରେଣୀକକ୍ଷ ପରିବେଶରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। କୋଭିଡ଼ କଟକଣା ଭିତରେ ସେମାନେ କିପରି ସୁରକ୍ଷିତ ବାତାବରଣରେ ସେହି ଶ୍ରେଣୀକକ୍ଷରେ ବସି ପାଠ ପଢ଼ିପାରିବେ, ତାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସରକାର ଯେଉଁ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛନ୍ତି, ତାକୁ ପାଳନ କରିବା ନିହାତି ଜରୁରୀ। ସ୍କୁଲ୍‌ ଖୋଲିବାପରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ସମସ୍ତଙ୍କ ପାଇଁ କେତେକ ଅତିରିକ୍ତ ନିୟମ ପାଳନ କରିବାକୁ ହେବ। ଏହାବ୍ୟତୀତ ସ୍କୁଲ୍‌ର ଭିତ୍ତିଭୂମି କୋଭିଡ଼ କଟକଣା ନିୟମ ପାଳନ ପାଇଁ ଉପଯୁକ୍ତ କି ନୁହେଁ, ତାହା ମଧ୍ୟ ଦେଖିବା ଜରୁରୀ। ଅଫ୍‌ଲାଇନରେ ପଢ଼ାହେଲେ ହେଁ ଅନ୍‌ଲାଇନ୍ କ୍ଲାସ୍‌ ଚାଲୁ ରହିବ ବୋଲି କୁହାଯାଇଛି; କିନ୍ତୁ ଏଥିରେ ତାଳମେଳ କିପରି ରହିବ, ତାହା ଶିକ୍ଷକଶିକ୍ଷୟିତ୍ରୀ ଦେଖିବା ଆବଶ୍ୟକ। ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ ବୋଲି ଯେଉଁ ନିର୍ଦେଶ ଦିଆଯାଇଛି, ତାହା ଠିକ୍‌। ଗୋଟିଏ ସ୍ଥାନରେ ଅଧିକ ପିଲା ବା ଶିକ୍ଷକ ଏକତ୍ର ନ ହେବା ଜରୁରୀ। ପ୍ରତ୍ୟେକ ଶ୍ରେଣୀଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀଙ୍କର ବସିବା ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ପାଳନ କରିବେ ବୋଲି ଆଶା। ସ୍କୁଲ୍‌କୁ ଆସିଥିବା ସମସ୍ତେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଭଳି ନିୟମ ଯେପରି ପାଳନ କରନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଜରୁରୀ। ସ୍କୁଲ୍‌ ପରିସରରେ ହାତଧୁଆ ଓ ବିଶୋଧନ ପାଇଁ ବ୍ୟବସ୍ଥା କରାଯିବା ଅନିବାର୍ଯ୍ୟ।

କୋଭିଡ୍‌- ୧୯ର ସଂକଟ ଆମ ସମସ୍ତଙ୍କୁ ଗୋଟିଏ କଥା ଚେତାଇ ଦେଇଛି ଯେ ଶିକ୍ଷକ-ଛାତ୍ରର ମୁହାଁମୁହିଁ ସମ୍ବନ୍ଧ ସର୍ବୋତ୍କୃଷ୍ଟ, ଯାହା ଡିଜିଟାଲ୍‌ ମାଧ୍ୟମରେ ଆଦୌ ସମ୍ଭବ ନୁହେଁ। ସେମାନଙ୍କ ପାରସ୍ପରିକ ସମ୍ବନ୍ଧରେ ଥିବା ପ୍ରଗାଢ଼ତା ମଧ୍ୟ ଏଥିରେ ମିଳିନଥାଏ, ଯାହା ଶିକ୍ଷାର ଅସଲ ଉପାଦାନ। ଭର୍ଚୁଆଲ୍‌ ଶ୍ରେଣୀକକ୍ଷରେ ପାଠ ପଢ଼ାଇବା ଦକ୍ଷ ଶିକ୍ଷକଙ୍କ ପାଇଁ ମଧ୍ୟ କଷ୍ଟକର; ତେଣୁ ଏହା ବାସ୍ତବ ଶ୍ରେଣୀକକ୍ଷର ବିକଳ୍ପ ନୁହେଁ। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକର ବହୁ ପିଲା ମଧ୍ୟ ଅନ୍‌ଲାଇନ୍ କ୍ଲାସ୍‌ରୁ ବଞ୍ଚିତ ହୋଇଛନ୍ତି, ଯାହା ଏକ ଡିଜିଟାଲ୍‌ ଶିକ୍ଷା ବୈଷମ୍ୟ ସୃଷ୍ଟି କରିଛି। ଦେଶର ୬୦ ହଜାର ପିଲାଙ୍କୁ ନେଇ ‘ଅସର୍‌’ ଦ୍ବାରା କରାଯାଇଥିବା ଏକ ଫୋନ୍‌-ସର୍ବେକ୍ଷଣ ଅନୁଯାୟୀ, ଏକ-ତୃତୀୟାଂଶ ଛାତ୍ରଛାତ୍ରୀ ଅନ୍‌ଲାଇନ୍ କ୍ଲାସ୍‌ କରିପାରିନଥିବାବେଳେ ମାତ୍ର ୧୧ ଶତାଂଶ ହିଁ ଲାଇଭ୍‌ ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦେଇଥିଲେ। ଏହି ଶିକ୍ଷା ବୈଷମ୍ୟ ପୂର୍ବରୁ ରହିଥିବା ଆୟ, ଜାତି ଓ ଲିଙ୍ଗ ଆଧାରିତ ବୈଷମ୍ୟଠାରୁ ମଧ୍ୟ ଅଧିକ ବିପଜ୍ଜନକ। ତେଣୁ ଏହାକୁ କିପରି ଦୂର କରିହେବ, ସେହି ଗୁରୁ ଦାୟିତ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ହିଁ ରହିଛି। ବିଶେଷକରି ଶିକ୍ଷକଶିକ୍ଷୟିତ୍ରୀମାନେ ଏହି ବୈଷମ୍ୟ ଦୂର କରି କିପରି ଶିକ୍ଷା-ସମାନତା ଆଣିପାରିବେ, ତାହା ଚିନ୍ତା କରିବା ଆବଶ୍ୟକ। ନିଃସନ୍ଦେହ ଯେ ଏଥିପାଇଁ ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବା ସହ ନିଷ୍ଠାପରତା ଦେଖାଇବାକୁ ହେବ। ମହାମାରୀ ପରବର୍ତ୍ତୀ କାଳର ଶିକ୍ଷା ବ୍ୟବସ୍ଥାକୁ ଅଭିନବ କଳ୍ପନାରେ ସଜାଇବାକୁ ହେବ, ଯାହା ପିଲାଙ୍କୁ କେବଳ ଶିକ୍ଷିତ କରିବ ନାହିଁ, ସୁରକ୍ଷିତ ମଧ୍ୟ ରଖିବ। ମାସମାସ ଧରି ଶିକ୍ଷକଶିକ୍ଷୟିତ୍ରୀମାନେ ଅନ୍‌ଲାଇନ୍ ମାଧ୍ୟମରେ ନୂତନ ଶିକ୍ଷାବ୍ୟବସ୍ଥାକୁ ସଫଳତାର ସହ ଆପଣାଇଛନ୍ତି, ସେହି ଉତ୍ସାହ ଆଗକୁ ରହିଲେ ସେମାନେ ସଫଳ ହେବେ ବୋଲି ଆମର ଆଶା। ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧାସୁଯୋଗ ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ।

Comments
Loading...