ମମତାଙ୍କୁ ଡାକ୍ତରଙ୍କ ୪୮ ଘଣ୍ଟାର ଚରମପତ୍ର, ଅଭିଯୁକ୍ତ ଗିରଫ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ଚାଲିବ ଧର୍ମଘଟ

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀରବ ରହିଛନ୍ତି। ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ୫ ଦିନ ଧରି ଆନ୍ଦୋଳନ ଚାଲିବା ଫଳରେ ରାଜ୍ୟରେ ରୋଗୀସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଏହି ସମୟ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆସୋସିଏଶନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପଟେ ଏସବୁ ଅବ୍ୟବସ୍ଥା ଏବଂ ଆନ୍ଦୋଳନ ପାଇଁ ବିଭିନ୍ନ ମହଲରେ ମମତାଙ୍କୁ ଦାୟୀ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ମମତାଙ୍କୁ ନିନ୍ଦା କରିବା ସହ ଏହାକୁ ‘ସମ୍ମାନର ପ୍ରସଙ୍ଗ’ ନ କରିବାକୁ କହିଛନ୍ତି।

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି, ଡାକ୍ତରମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ତେଣୁ ସେମାନେ ଆନ୍ଦୋଳନ ଜାରି ରଖନ୍ତିୁ, ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟସ୍ଥଳକୁ ଫେରିବାକୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି।

ଅନ୍ୟପଟେ କଂଗ୍ରେସ ଏମପି ଅଧିର ଚୌଧୁରୀ କହିଛନ୍ତି, ରୋଗୀଙ୍କ ସମ୍ପର୍କୀୟମାନେ ଘଟଣାର ତୁରନ୍ତ ସମାଧାନ ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ ଜଟିଳ କରିଛନ୍ତି। ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଦାୟୀ।

Comments are closed.