ଦେଶରେ ୪୨% କିଶୋର ପ୍ରଥମ ପାନ ଟିକା ନେଲେଣି

ଟିକା ନେବାକୁ କିଶୋରଙ୍କ ମଧ୍ୟରେ ବିପୁଳ ଉତ୍ସାହ

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଟିକାକରଣ ଆରମ୍ଭ ହେବାପରେ ଏହି ବୟସ ବର୍ଗର ହିତାଧିକାରୀଙ୍କ ମଧ୍ୟରେ କୋଭିଡ ଟିକା ନେବାକୁ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଜାନୁଆରୀ ୩ ତାରିଖରେ ସେମାନଙ୍କ ପାଇଁ ଟିକାକରଣ ଶୁଭାରମ୍ଭ ହେବା ପରଠାରୁ ମାତ୍ର ୧୧ ଦିନ ମଧ୍ୟରେ ଦେଶର ୪୨% କିଶୋର ପ୍ରଥମ ପାନ କୋଭିଡ ଟିକା ନେଇସାରିଲେଣି । ଏପର୍ଯ୍ୟନ୍ତ ୩.୧୪ କୋଟିରୁ ଅଧିକ କିଶୋର ପ୍ରଥମ ପାନ ଟିକା ନେଇଥିବା କେନ୍ଦ୍ର ସରକାରଙ୍କ ସୂତ୍ରରୁ ଜଣାଯାଇଛି । ଦେଶରେ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ପ୍ରାୟ ୭.୪୦ କୋଟି କିଶୋର ରହିଥିବା ଆକଳନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ରୁ ୮୫ ପ୍ରତିଶତଙ୍କୁ ଚଳିତ ଜାନୁଆରୀ ଶେଷ ସୁଦ୍ଧା ଟିକା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କର କୋୱିନ ପୋର୍ଟାଲ ସୂତ୍ରରୁ ଜଣାଯାଇଛି ଯେ ଏପର୍ଯ୍ୟନ୍ତ ୩,୧୪,୮୭,୨୬୯ ଜଣ କିଶୋର କିଶୋରୀ ପ୍ରଥମ ପାନ ଟିକା ନେଇସାରିଛନ୍ତି । ସେମାନଙ୍କ ମଧ୍ୟରେ ଟିକା ନେବାର ଆଗ୍ରହକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ୍‍ କରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର କିଶୋର ବର୍ଗଙ୍କ ମଧ୍ୟରେ ଦାୟିତ୍ୱସଂପନ୍ନ ମନୋଭାବ ଏବଂ ଉତ୍ସାହ ଭରି ରହିଛି । ସମସ୍ତ ଯୋଗ୍ୟ କିଶୋର କିଶୋରୀ ଯଥାଶୀଘ୍ର ଟିକା ନେବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ପରିମାଣରେ କୋଭାକ୍ସିନ ଟିକା ପଠାଯାଇଛି । ତାହାକୁ ଏହି ବୟସ ବର୍ଗର ହିତାଧିକାରୀଙ୍କୁ ଦିଆଯିବ । ଦେଶର ଟିକାକରଣ କ୍ଷେତ୍ରରେ ରହିଥିବା ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର କୋଭିଡ-୧୯ ପାଇଁ ଗଠିତ କାର୍ଯ୍ୟାନ୍ୱୟନ ଗୋଷ୍ଠୀ ଅଧ୍ୟକ୍ଷ ଏନ କେ ଆରୋରା କହିଛନ୍ତି, କିଶୋରଙ୍କ ନିମନ୍ତେ ଟିକାକରଣ ଅଭିଯାନ ଠିକ୍‍ ଭାବରେ ଆଗେଇ ଚାଲିବା ଭାରତର କୋଭିଡ-୧୯ ମହାମାରୀ ବିରୋଧୀ ଲଢେଇକୁ ଅଧିକ ମଜଭୁତ କରିଛି ।

Comments are closed.