ତାଲାବନ୍ଦର ପ୍ରଭାବ ପଡୁନି ! ଗୋଟିଏ ଦିନରେ ପୁଣି ୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ତାଲାବନ୍ଦ କାମ କରୁନି। କରୋନା ଆକ୍ରାନ୍ତ ସଂଖ୍ୟା କମୁନଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି। ଗତକାଲି ଶନିବାର ରାତ୍ରି ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଜିଲାରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଜିଲାରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ରବିବାର ଗୋଟିଏଦିନରେ ପୁଣି ୪୧୭ ବୃଦ୍ଧି ପାଇଛି। ତେବେ ଜିଲାରେ ତାଲାବନ୍ଦର କୈାଣସି ପ୍ରଭାବ ପଡୁନଥିବା କୁହାଯାଉଛି। କୋଭିଡ ଡାକ୍ତରଖାନାରେ ନବରଙ୍ଗପୁର ସହର ଜଣେ, ଡାବୁଗାଁର ଜଣେ ଓ ଇନ୍ଦ୍ରାବତୀର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଜିଲାରେ ମୋଟ ୧୫,୩୬୯ ଜଣ କରୋନା ଆକ୍ରାନ୍ତ ହୋଇ ସାରିଥିବା ବେଳେ ସେଥି ମଧ୍ୟରୁ ୧୨,୦୪୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମୋଟ ୩,୨୧୩ଜଣ କରୋନା ସଂକ୍ରମିତ ରହିଥିବା ବେଳେ ହୋଇଥିବା ବେଳେ ସେଥି ମଧ୍ୟରୁ ମୋଟ ୩୦୪୩ ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ଗତକାଲି ଶନିବାର ଆକ୍ରାନ୍ତ ସଂଖ୍ୟା ୨୩୯ ଥିବାବେଳେ ଏହାକୁ ନେଇ ସାମାନ୍ୟ ଆସ୍ୱସ୍ତିକର ଖବର ମିଳିଥିଲା। ଗୋଟିଏ ଦିନ ପରେ ଆଜି ରବିବାର ଦିନ ଜିଲାରେ ପୁଣି ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି। ମୋଯ ୪୧୨ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡିବ୍ଳକରେ ୨୭ଜଣ ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘରବ୍ଳକରେ ୩୯ ଜଣ, ଝରିଗାଁ ବ୍ଳକରେ ୫୭ଜଣ, ଉମରକୋଟ ବ୍ଳକରେ ୮୧ଜଣ , ଉମରକୋଟ ପୈାରାଞ୍ଚଳରେ ୩୭ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୭୦ଜଣ ନବରଙ୍ଗପୁରବ୍ଳକରେ ୩୫ଜଣ, ଡାବୁଗାଁବ୍ଲକରେ ୧୩ଜଣ, ପାପଡାହାଣ୍ଡି ବ୍ଳକରେ ୮ଜଣ, କୋଷାଗୁମୁଡା ବ୍ଳକରେ ୧୨ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୬ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୩୨ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ପ୍ରଥମଥର ପାଇଁ ନବରଙ୍ଗପୁର ସହରରେ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ନେଇ ସହରବାସୀଙ୍କର ମଧ୍ୟରେ ଛନକା ପଶିଯାଇଛି।

ତେବେ ନବରଙ୍ଗପୁର ସହରେ ପୁଲିସ ଯାଞ୍ଚ ଢିଲା କରାଯାଉଥିବାବେଳେ ଶନିବାର ଓ ରବିବାର ଦିନ ସାପ୍ତାହନ୍ତ ବନ୍ଦ ଥିଲେ ମଧ୍ୟ ଲୋକ ମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଏହାଛଡା କରୋନା ଆକ୍ରାନ୍ତ ଖୁଲମଖୁଲା ଦୋକାନ ବଜାରରେ ବୁଲିବା ମଧ୍ୟ ସହରରେ ଆକ୍ରାନ୍ତ ବୃଦ୍ଧିର ଅନ୍ୟତମ କାରଣ ହୋଇଛି। କରୋନା ଆକ୍ରାନ୍ତ ସଂପର୍କରେ ସ୍ୱାସ୍ଥ୍ୟବିଭାଗ ଓ ପ୍ରଶାସନ ପକ୍ଷରୁ ତଥ୍ୟ ଲୁଚାଯାଉଥିବାରୁ ଆକ୍ରାନ୍ତର ପଡୋଶୀ ମଧ୍ୟ ଜାଣି ପାରୁନାହାନ୍ତି। ଏହାଛଡା ଆକ୍ରାନ୍ତଙ୍କର ସାହି ଓ ଗଳିରେ ପୂର୍ବଭଳି କୈାଣସି ଚିହ୍ନଟ କିମ୍ବା ବାଉଁଶବାଡ କରାଯାଉନଥିବାରୁ ଆଗାମୀଦିନରେ ପରିସ୍ଥିତିକୁ ଅଧିକ ଜଟିଳ କରିବାର ସମ୍ଭାବନା ଦେଖାଦେଇଛି। ତେବେ ବେଳ ଥାଉଣୁ ପଦକ୍ଷେପ ନନେଲେ ଆଗକୁ ମହମାରୀ ଅଧିକ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଜିଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବାର ଜରୁରୀ ହୋଇପଡିଛି।

Comments are closed.