ବିଦେଶୀ ମୁଦ୍ରା ତୁଳନାରେ ଟଙ୍କାର ମୂଲ୍ୟ ଠିକ୍‌ ରହିଛି : ସୀତାରମଣ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ବିନିମୟ ମୂଲ୍ୟ ଦିନକୁ ଦିନ ତଳମୁହଁା ହେଉଛି। ତେବେ ଡଲାର ବିନିୟମ ମୂଲ୍ୟ ସହ ତୁଳନା କଲେ ଅନ୍ୟ ବିଦେଶୀ ମୁଦ୍ରା ଅପେକ୍ଷା ଭାରତୀୟ ମୁଦ୍ରାର ଅବସ୍ଥା ଭଲ ଥିବା ଗୁରୁବାର କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସୂଚନାଥାଉକି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ବିଶ୍ବର ଅଧିକାଂଶ ଦେଶର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଛି। କେତେକ ଦେଶର ମୁଦ୍ରା ଡଲାର ତୁଳନାରେ ବହୁ ତଳକୁ ଖସିଛି। ବିଶେଷ କରି ଅଣଶୋଧିତ ତେଲର ଦରବୃଦ୍ଧି, କ୍ରମାଗତ ବଢ଼ି ଚାଲିଥିବା ମୁଦ୍ରାସ୍ପୀତି ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କମାନେ ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସୀତାରମଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଶ୍ବ ଅର୍ଥନୀତିରେ ଯାହା ଘଟୁଛି ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଛି। ତେବେ ଅନ୍ୟ ଦେଶର ମୁଦ୍ରା ଅପେକ୍ଷା ଭାରତୀୟ ଟଙ୍କା ଆମେରିକୀୟ ଡଲାର ବିନିମୟ ମୂଲ୍ୟ ତୁଳନାରେ ବେଶ୍‌ ଭଲ ଅବସ୍ଥାରେ ରହିଛି। ଗୁରୁବାର ସକାଳରେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୮.୯୦ ପଇସା ରହିଥିଲା।

ଗତ ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥିଲା। ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ବଢ଼ାଇ ଥିବା ବେଳେ ଆଗାମୀ ଦିନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମିଚେଲ୍‌ ଡି. ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.