ଗୁଣପୁରରେ ୪ଶହ ଛୁଇଁଲା ପଜିଟିଭ୍‍ ସଂଖ୍ୟା : ଚିକିତ୍ସା ନପାଇ ଆଉ ଜଣେ ଯୁବକଙ୍କ ମୃତ୍ୟୁ

ଗୁଣପୁର : ଗୁଣପୁର ସହରରେ ଦିନକୁ ଦିନ ପଜିଟିଭ୍‍ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଗତକାଲି ସୁଧା ଏହି ସଂଖ୍ୟା ୩୯୩ ଛୁଇଁଥିଲା । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଏହି ସଂଖ୍ୟା ୪ଶହ ପାର କରିଛି । ଅନ୍ୟପକ୍ଷେ ସରକାରୀ ଭାବେ ଏବେ ସୁଦ୍ଧା କରୋନାରେ ସଂକ୍ରମିତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶା ଯାଉଥିବା ବେଳେ ଏହି ସଂଖ୍ୟା ଢେର ଅଧିକ। କିଏ ଏଠାରୁ ଭୁବନେଶ୍ୱର ଯାଇ ତ କିଏ ବିଶାଖାପାଟନମ୍‍ ରେ ଚିକିତ୍ସିତ ହୋଇ ମୃତ୍ୟୁ ବରଣ କରୁଛନ୍ତି ସେ ହିସାବ ଆଉ ଜାଣିବାର ସୂଯୋଗ ନାହିଁ । ଏମିତିକି ଏଠାରେ ଘରେ ଥାଇ ମଧ୍ୟ ଆଉ କେତେକ କୋଭିଡ୍‍ ବୋଲି ଜାଣିବା ପୁର୍ବରୁ ମୃତ୍ୟୁକୁ ସାମ୍ନା କରୁଛନ୍ତି। ଏଭଳି ପରିସ୍ଥିତିରେ ଚିକିତ୍ସା ନପାଇ ସ୍ଥାନୀୟ ସହରର ଆଉଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

କୋଭିଡ୍‍ ପଜିଟିଭ୍‍ ଚିହ୍ନଟ ପରେ ସ୍ଥାନୀୟ ଶାନ୍ତି ନଗରର ଅବସରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ କରଙ୍କ ବଡପୁଅ ସୋନ୍ତଷ କର(୪୨)ଙ୍କୁ ଜେ.କେ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇ ଥିଲା। ସେଠାରେ କିଛିଦିନ ଚିକିତ୍ସା ପରେ ଅଧିକ ଅସୁସ୍ଥ ହେବାରୁ ସେଠାକାର ଡାକ୍ତରମାନେ ଅନ୍ୟତ୍ର ନେଇ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି କିଛି ପ୍ରଶାସନିକ ଅଧିକାରୀ ଓ ଅନେକ ଶୁଭେଛୁ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁର, ବିଶାଖାପାଟନମ୍‍ ଚାରିଆଡେ ଶଯ୍ୟା ଖଣ୍ଡେ ପାଇଁ ଚେଷ୍ଟା କରିଥିଲେ। ଶେଷରେ ସୋମବାର ବିଳମ୍ବିତ ରାତ୍ରଯାଏଁ ବିଶାଖାପାଟନମ୍‍ ରେ ପରିବାର ଲୋକେ କାକୁତି ମିନତି ହୋଇ ଗୋଟିଏ ଡାକ୍ତରଖାନାରୁ ଅନ୍ୟଠିକୁ ଘୁରି ବୁଲିଥିଲେ। ହେଲେ ସବୁଠାରୁ ହତାସ ହୋଇ ଆମ୍ବୁଲାନ୍ସରେ ରୋଗୀକୁ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଏକ ଘରୋଇ କ୍ଳିନିକରେ ବାଧ୍ୟହୋଇ ଭର୍ତ୍ତି କରିଥିଲେ। ଗତକାଲି ଗୋଟିଏ ଦିନ ସେଠାରେ ଚିକିତ୍ସା ହବାପରେ ଆଜି ଭୋରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡିବା ମାତ୍ରେ ସହରବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଲଗାତର ଭାବେ ଯୁବକ ମାନଙ୍କ ମୃତ୍ୟୁକୁ ଦେଖି ସହରବାସୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି।

Comments
Loading...