ସୁସ୍ଥ ହୋଇଥିବା ୪୦% ରୋଗୀଙ୍କ ଠାରେ କୋଭିଡ ପରବର୍ତ୍ତୀ ଲକ୍ଷଣ: ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଭାରତରେ ୩ କୋଟିରୁ ଅଧିକ ଲୋକ କୋଭିଡରୁ ସୁସ୍ଥ ହୋଇଥିବା ବେଳେ ସାରା ଦେଶରେ କୋଭିଡ ପରବର୍ତୀ ଲକ୍ଷଣ ପ୍ରକାଶ ପାଇବା ଘଟଣାରେ ଆଖିଦୃଶିଆ ବୃଦ୍ଧି ହୋଇଛି । ଦେଶର ଅନ୍ୟତମ ବୃହତମ ସୁପର ସ୍ପେସିଆଲିଟି ହସ୍ପିଟାଲ ଏଆଇଜି ହସ୍ପିଟାଲ୍ସ ପକ୍ଷରୁ କୋଭିଡ ପରବର୍ତୀ ଅସୁସ୍ଥତାର ବାସ୍ତବ ସ୍ଥିତି ବିଷୟରେ ଜାଣିବା ଲାଗି ନିକଟରେ ସର୍ବଭାରତୀୟ ସ୍ତରରେ ଏକ ଆଭାସି ସର୍ଭେ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ କୋଭିଡରୁ ସୁସ୍ଥ ହୋଇଥିବା ୪୦% ରୋଗୀଙ୍କ ଠାରେ ଏବେବି ଲକ୍ଷଣ ରହିଛି ଓ ସେଥିମଧ୍ୟରୁ କ୍ଲାନ୍ତ ଲାଗିବା/ ଦୁର୍ବଳତା ବିଷୟରେ ସର୍ବାଧିକ ଲୋକ କହିଥିଲେ । ଅନେକ ରୋଗୀ ନୂଆ ପ୍ରକାରର ଲକ୍ଷଣ ଯଥା ନିଦ୍ରାହୀନତା, ନ୍ୟୁରୋସାଇକିଆଟ୍ରିକ୍ ସମସ୍ୟା ଆଦି ବିଷୟରେ କହିଥିଲେ । ଏଥିରୁ ଭାରତରେ କୋଭିଡରୁ ସୁସ୍ଥ ହୋଇଥିବା ଏକ କୋଟିରୁ ଅଧିକ ଲୋକଙ୍କ ଠାରେ ପରବର୍ତ୍ତୀ ସମୟରେ କିଛି ଲକ୍ଷଣ ପ୍ରକାଶ ପାଉଥିବା କହିଛନ୍ତି ଡା. ବି ନାଗେଶ୍ୱର ରେଡ୍ଡି ।
ସର୍ଭେରୁ ଜଣାଯାଇଛି ଯେ ହାସପାତାଳଗୁଡିକରେ ଚିକିତ୍ସିତ ପ୍ରାୟ ୭୪% ରୋଗୀଙ୍କ ଠାରେ ଷ୍ଟିରଏଡ ପ୍ରୟୋଗ କରାଯାଇଥିଲା । ସେହି ସମୟରେ ୩୪%ଙ୍କ କ୍ଷେତ୍ରରେ ଅମ୍ଳଜାନ ଆବଶ୍ୟକ ପଡିଥିଲା । ତେବେ ଅଯୌକ୍ତିକ ଷ୍ଟିରଏଡ ବ୍ୟବହାର ଓ କୋଭିଡ ପରବର୍ତୀ ଜଟିଳତା ଭିତରେ କିଛିଟା ସମ୍ପର୍କ ରହିଥିବା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କାରଣ ନିୟମାବଳୀ ଅନୁସାରେ କେବଳ ସେହି କୋଭିଡ ରୋଗୀମାନଙ୍କୁ ଷ୍ଟିରଏଡ ଦିଆଯିବା କଥା ଯେଉଁମ।।ନେ ଅତି ଗୁରୁତର ଏବଂ ଅମ୍ଳଜାନ ଦରକାର କରନ୍ତି । ଏହାକୁ ଦୃଷ୍ଟିରେ ରଖି ସଂପ୍ରତି କୋଭିଡ ପରବର୍ତ୍ତୀ ଯତ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିବା ସର୍ଭେରେ କୁହାଯାଇଛି ।

Comments are closed.