ରାଜ୍ୟସଭାରୁ ବିଦାୟ ନେବେ ଓଡ଼ିଶାର ଏହି ୩ ନେତା, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଗାମୀ ଏପ୍ରିଲ ମାସରେ ରାଜ୍ୟ ସଭାର ୫୫ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଏସବୁ ଆସନ ପାଇଁ ନିର୍ବାଚନ ହେବ। ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ୧୭ ରାଜ୍ୟରେ ହେବାକୁ ଥିବା ଏହି ନିର୍ବାଚନରେ ଓଡ଼ିଶାର ୪ ଆସନ ରହିଛି। ରାଜ୍ୟ ସଭାରୁ ଓଡ଼ିଶାର ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ସାଂସଦ ଅନୁଭବ ମହାନ୍ତି ଲୋକ ସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନଟି ଖାଲିପଡ଼ିଛି। ଏହି ୪ ଜଣଙ୍କ ସ୍ଥାନରେ ୪ ନୂଆ ସଦସ୍ୟଙ୍କୁ ରାଜ୍ୟସଭା ପଠାଯିବ। ତେବେ ବିଦାୟ ନେବାକୁ ଥିବା ଓଡ଼ିଶାର ୩ ସଦସ୍ୟ ହେଉଛନ୍ତି ବିଜେଡି ସାଂସଦ ନରେନ୍ଦ୍ର କୁମାର ସ୍ବାଇଁ, ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ଵାଳ।

ସାଂସଦ ଅନୁଭବ ମହାନ୍ତି ୨୦୧୪ ଜୁନରେ ବିଜେଡିରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟସଭାର ସବୁଠାରୁ କନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟ ସଭାରେ ତାଙ୍କ ଆସନଟି ଖାଲି ପଡ଼ିଥିଲା।

ସେହିପରି ନରେନ୍ଦ୍ର କୁମାର ସ୍ବାଇଁ ୨୦୧୫ ଡିସେମ୍ବର ୭ରେ ରାଜ୍ୟ ସଭାକୁ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ୨୦୧୪ ଏପ୍ରିଲ ୩ରେ ବିଜେଡିରୁ ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସରୁ ରଞ୍ଜୀବ ବିଶ୍ଵାଳ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଆସନ୍ତା ଏପ୍ରିଲ ୨ରେ ଏମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି।

Comments are closed.