ଅଯୋଧ୍ୟା ରାୟ ବିରୋଧରେ ଆଉ ୪ ସମୀକ୍ଷା ଆବେଦନ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ଚାଲେଞ୍ଜ କରି ଆଉ ୪ଟି ସମୀକ୍ଷା ଆବେଦନ କରାଯାଇଛି । ସମୀକ୍ଷା ଆବେଦନ କରିଥିବା ପକ୍ଷମାନେ ହେଉଛନ୍ତି ମିସବାହୁଦ୍ଦିନ, ମୌଲାନା ହସବୁଲ୍ଲା, ହାଜି ମେହବୁବା ଓ ରିଜୱାନ ଅହମ୍ମଦ। ଅଲ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ସହଯୋଗରେ ପିଟିସନକାରୀମାନେ ସମୀକ୍ଷା ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ଯଦି ଏହି ସମୀକ୍ଷା ଆବେଦନ ଉପରେ ଶୁଣାଣି କଲେ ଓକିଲ ରାଜୀବ ଧାୱନ ସମସ୍ତଙ୍କ ପକ୍ଷଙ୍କ ପାଇଁ ଯୁକ୍ତି ଉପସ୍ଥାପନ କରିବେ। ଆବେଦନକାରୀମାନେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବେଆଇନ ଭାବେ ମସଜିଦ ମଧ୍ୟରେ ମୂର୍ତ୍ତି ସ୍ଥାପନ କରିଥିବା ରାମଲାଲାଙ୍କ ସପକ୍ଷରେ ରାୟ ଦିଆଯାଇଛି। ଯେଉଁ ପକ୍ଷ ବେଆଇନ ଭାବେ ସମସ୍ତ କାର୍ଯ୍ୟ କରିଛି ତାକୁ ବିବାଦୀୟ ଜମିକୁ ହସ୍ତାନ୍ତର କରାଯାଇଛି। ମୁସଲମାନ ପକ୍ଷଙ୍କୁ ଅନ୍ୟତ୍ର ୫ଏକର ଜମି ଦିଆଯିବା ଉପଯୁକ୍ତ ନ୍ୟାୟ ନୁହେଁ। ଏହା ପୂର୍ବରୁ ଜମାତ ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ମୌଲାନ ସୟଦ ଆଶାଦ ରସିଦି ସୋମବାର ଅଯୋଧ୍ୟା ରାୟ ବିରୋଧରେ ସମୀକ୍ଷା ଆବେଦନ କରିଥିଲେ। ଏହା ଅଯୋଧ୍ୟା ରାୟ ବିରୋଧରେ ପ୍ରଥମ ସମୀକ୍ଷା ଆବେଦନ ଥିଲା। ତେବେ ଅଯୋଧ୍ୟା ମାମଲାର ମୂଳ ପକ୍ଷ ସୁନ୍ନି ୱାକଫ ବୋର୍ଡ ଅଯୋଧ୍ୟା ରାୟ ବିରୋଧରେ କୌଣସି ସମୀକ୍ଷା ଆବେଦନ କରିବାକୁ ମନା କରିଛି। ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଅଯୋଧ୍ୟା ପ୍ରସଙ୍ଗରେ ଐତିହାସିକ ରାୟ ଶୁଣାଇଥିଲେ। ରାୟରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମଲାଲାଙ୍କୁ ହସ୍ତାନ୍ତର ପୂର୍ବ ଏଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଲାଗି ନିର୍ଦେଶ ଦେଇଥିଲେ। ଅନ୍ୟପଟେ ମସଜିଦ ନିର୍ମାଣ କରିବାକୁ ସୁନ୍ନି ୱାକଫ ବୋର୍ଡକୁ ଅଯୋଧ୍ୟାରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ପୂର୍ବକ ଗ୍ରହଣ କରିଛି। ତେବେ ମସଜିଦ ନିର୍ମାଣ କରିବାକୁ ଏହା ସରକାରଙ୍କ ଠାରୁ ଜମି ଗ୍ରହଣ କରିବ କି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ଜଣାଇ ନାହିଁ।

Comments are closed.