କାର ଦୁର୍ଘଟଣା: ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ସୋମବାର ଏକ କାର ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ସ୍ବିଫ୍ଟ ଡିଜାୟାର କାରରେ ୭ଜଣ ଖେଳାଳି ହୋଶଙ୍ଗାବାଦରେ ଚାଲିଥିବା ମେଜର ଧ୍ୟାନଚାନ୍ଦ ହକି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ଦ୍ରୁତ ଗତି କାରଣରୁ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ଖାଲରେ ପଶିଯାଇଥିଲା। ମୃତକଙ୍କ ମଧ୍ୟରେ ଇନ୍ଦୋରର ଶାହନୱାଜ ଖାନ, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଏବଂ ଗ୍ବାଲିଅରର ଅନିକେତ ରହିଛନ୍ତି। ଅନ୍ୟ ୩ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।

Comments are closed.