ସୁକମାରେ ସାଥୀ ଯବାନଙ୍କ ଗୁଳିରେ ୪ ସିଆରପିଏଫ ଯବାନ ନିହତ; ୩ ଆହତ

ସୁକମା: ଛତିଶଗଡର ସୁକମା ଜିଲାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ)ର ଏକ ଶିବିରରେ ଜଣେ ଯବାନ ଗୁଳି ଚଳାଇବା ଦ୍ୱାରା ଅନ୍ୟ ଚାରିଜଣ ଯବାନଙ୍କର ପ୍ରାଣହାନି ଘଟିଛି । ଏହି ଘଟଣାରେ ଅନ୍ୟ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହାସପାତାଳରେ ଭର୍ତ୍ତି କରାଯାଇଛି । ଜିଲାର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସୋମବାର ଭୋର ପ୍ରାୟ ୩.୩୦ରେ ଏହି ଘଟଣା ଘଟିଥିଲା । ଛତିଶଗଡର ରାଜଧାନୀ ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ସୁକମା ଜିଲାର ଲିଙ୍ଗାମପାଲି ଗ୍ରାମରେ ସିଆରପିଏଫର ୫୦ତମ ବାଟାଲିଅନ ଶିବିରରେ ଏହି ଦୁଃଖଦ ଘଟଣା ଘଟିଛି ।
ବସ୍ତର ରେଞ୍ଜ ପୁଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି, ପ୍ରାପ୍ତ ସୂଚନା ଅନୁଯାୟୀ ଭୋର ସମୟରେ ସିଆରପିଏଫର ଜଣେ ଯବାନ ନିଜର ସର୍ଭିସ ଏକେ-୪୭ ରାଇଫଲରୁ ଅତର୍କିତ ଭାବରେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୪ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୩ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହାସପାତାଳରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଅନ୍ୟ ଯବାନମାନେ ଗୁଳି ଚଳାଇଥିବା ଯବାନଜଣକୁ ତୁରନ୍ତ କାବୁ କରିନେଇଥିଲେ । ତାଙ୍କୁ ପଚରା ଉଚରା କରାଯାଉଛି ।

Comments are closed.