ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଆଇ.ଟି କଲୋନୀ କ୍ୱାର୍ଟର୍ସର  ଈ/୭ ନମ୍ବର ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଇ.ଟି କଲୋନୀ କ୍ୱାର୍ଟର୍ସରେ ଭଡାରେ ରହୁଥିବା ରଞ୍ଜିତ ପ୍ରାସାଦ ଓସିଲ ରେଫେକ୍ଟରୀ ୟୁନିଟରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ଥିଲେ। ଗତ ଦୁଇଦିନ ହେବ ତାଙ୍କ ଘରର କବାଟ ବନ୍ଦ ଥିଲା ଏବଂ ପରିବାର କୌଣସି ସଦସ୍ୟଙ୍କୁ ବାହାରେ ଦେଖିବାକୁ ମିଳି ନ ଥିଲେ। ଦୁଇଦିନ ପରେ ଘରଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟକୁ ଭଙ୍ଗାଯାଇଥିଲା। ପରେ ଚାରୋଟି ମୃତଦେହ ଘରର ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ଦୃଷ୍ଟିରୁ ବିଷାକ୍ତ ଖାଦ୍ୟ ଖାଇ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଛି। ସ୍ଥାନୀୟ ଥାନାର ଆଇଆଇସି ଗୋକୁଳାନନ୍ଦ ସାହୁ, ଏସଡ଼ିପିଓ ବିଜୟ କୁମାର ନନ୍ଦ ଏହି ଘଟଣାର ତଦନ୍ତ ଚଳାଇଛନ୍ତି।

ସୂଚନାଯୋଗ୍ୟ, ରଞ୍ଜିତ ପ୍ରସାଦ କାଂଶବହଲ ଗୋଆଲା ପଡାର ଅରବିନ୍ଦ ସିନାଙ୍କ ଝିଅ ଅଲଫନାଙ୍କୁ ଚାରି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ତିନି ବର୍ଷର ଝିଅ ଏବଂ ଦେଢ଼ ବର୍ଷର ପୁଅ ଥିଲା ବୋଲି ରଞ୍ଜିତଙ୍କ ବାପା ରାଜଦୀପ ପ୍ରସାଦ ଏହି ସୂଚନା ଦେଇଛନ୍ତି।

Comments are closed.