ବଢ଼ୁଛି ତୃଣମୂଳ ସଙ୍କଟ: ମମତାଙ୍କ କ୍ୟାବିନେଟ ବୈଠକକୁ ଆସିଲେ ନାହିଁ ୪ ମନ୍ତ୍ରୀ

କୋଲକାତା: ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ସରକାରରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ଏବଂ ତାଙ୍କ ସହ ଅନ୍ୟକିଛି ନେତା ବିଜେପିରେ ସାମିଲ ହେବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଇଛି ଶକ୍ତ ଧକ୍କା । ଏହି ସ୍ଥିତିରେ ଆଜି ମମତାଙ୍କ ଦ୍ବାରା ଆହୂତ କ୍ୟାବିନେଟ ବୈଠକରେ ୪ ଜଣ ମନ୍ତ୍ରୀ ଯୋଗ ନ ଦେବା ରାଜ୍ୟରେ ରାଜନୈତିକ ବାତାବରଣକୁ ଉଷ୍ଣ କରି ଦେଇଛି ।

ମମତା ବାନାର୍ଜୀ ଆଜି ରାଜ୍ୟ ସଚିବାଳୟରେ ଡ଼ାକିଥିଲେ କ୍ୟାବିନେଟ୍ ବୈଠକ । ମାତ୍ର ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ, ଉତ୍ତରବଙ୍ଗ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଯୋଗ ଦେଇ ନ ଥିଲେ । ସେମାନେ କାହିଁକି ବୈଠକକୁ ଆସିଲେ ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ବୀରଭୂମରୁ ପ୍ରତିନିଧିତ୍ବ କରୁଥିବା ମତ୍ସ୍ୟସମ୍ପଦ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ୍ନା ଓ ବନବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀ ମଧ୍ୟ ମମତାଙ୍କ ବୈଠକରେ ପହଞ୍ଚି ନ ଥିଲେ । ପୂର୍ବରୁ ଚନ୍ଦ୍ରନାଥ ସିଂହ୍ନା ଓ ରାଜୀବ ବାନାର୍ଜୀ ଦଳରେ ସେମାନଙ୍କୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆଣିଥିଲେ । ଆଉ ଆଜିର କ୍ୟାବିନେଟ୍ ବୈଠକରେ ସେମାନେ ଯୋଗ ନ ଦେବା ଦଳ ଓ ରାଜ୍ୟବାସୀଙ୍କୁ ଭିନ୍ନ ବାର୍ତା ଦେଇଛି । ଏହି ନେତାମାନେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି ।

Comments are closed.