ଖୁବ ଶୀଘ୍ର ୩ୟ ବନ୍ଦେ ଭାରତ ମିଶନ – ୬୦ଟି ଦେଶରୁ ଆସିବେ ୧ଲକ୍ଷ

ସମାଜ ପୋର୍ଟାଲ ଡେସ୍କ: ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆଜି ବନ୍ଦେ ଭାରତ ମିଶନ୍‍ ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବନ୍ଦେ ଭାରତ ମିଶନ୍‍କୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ସମ୍ବନ୍ଧରେ ସେ ଟ୍ୱିଟ କରି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍କୁ ଆହୁରି ଅଧିକ ସଂପ୍ରସାରିତ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଏହା ଅନୁସାରେ ୬୦ଟି ଦେଶରୁ ୧ଲକ୍ଷରୁ ଅଧିକ ଭାରତୀୟଙ୍କୁ ଅଣାଯିବାର ଲକ୍ଷ୍ୟ ରଖାଯାଇଛି।

ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଉପରେ ମଧ୍ୟ ଆଲୋଚନା କରାଯାଇଛି ଓ ଏଥିପାଇଁ ବିମାନ ସଂଖ୍ୟା ବୃଦ୍ଧି କରାଯିବା ଓ ଅଧିକ ପ୍ରବେଶପଥ ଖୋଲିବା ପାଇଁ ଯୋଜନା କରାଯାଉଛି। ସେ କହିଛନ୍ତି, ଯେଉଁ ଭାରତୀୟମାନେ ସ୍ଥଳ ସୀମା ଦେଇ ଆସିବାକୁ ଚାହୁଁଥିଲେ ସେମାନେ ଆଜିଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଉପସାଗରୀୟ ଅଞ୍ଚଳରେ ସର୍ବକ୍ଷମା ପାଇଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ମନ୍ତ୍ରୀ କହିଛନ୍ତି, ଇରାନରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଜୁନ୍‍ ମାସରେ ଜାହାଜରେ ଅଣାଯିବ। ସେ ପୁଣି କହିଛନ୍ତି, ଏୟାର୍‍ ଇଣ୍ଡିଆ ଖୁବ୍‍ ଶୀଘ୍ର ବିଦେଶରୁ ସିଧାସଳଖ ଟିକେଟ କରିବାର ବ୍ୟବସ୍ଥା ଆରମ୍ଭ କରିବ।

Comments are closed.