ଆଜିଠାରୁ ୩ୟ ଟେଷ୍ଟ : ଭାରତର ଟାର୍ଗେଟ ୩ – ୦

ରାଞ୍ଚି: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ୩ୟ ଟେଷ୍ଟମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ତୃତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ୍‌ ପୋଛିବା ଲକ୍ଷ୍ୟରେ ରହିଛି ଭାରତ। ଦକ୍ଷିଣ ଆଫ୍ରିକା ଯେ ଏହି ଟେଷ୍ଟମ୍ୟାଚ୍‌କୁ ଜିତିବ; ଏପରି ଭବିଷ୍ୟବାଣୀ କରୁଥିବା କ୍ରିକେଟ ବିଶେଷଜ୍ଞଙ୍କୁ ଆମେ ଅତ୍ୟନ୍ତ ସାହସୀ ବୋଲି କହିପାରିବା। କାରଣ ଅଦ୍ୟାବଧି ବ୍ୟାଟିଂ କିମ୍ବା ବୋଲିଂ; କୌଣସି ବିଭାଗରେ ଭାରତର ସମକକ୍ଷ ହୋଇ ପାରିନାହିଁ ଦକ୍ଷିଣ ଆଫ୍ରିକା। ପୁଣି ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ପାଇଁ ଏକମାତ୍ର ଶତକ ମାରିଥିବା ଐଡେନ୍ ମାର୍କରାମ୍ ଓ ଏହି ସିରିଜ୍‌ରେ ଦଳର ଶ୍ରେଷ୍ଠ ସ୍ପିନର କେଶବ ମହାରାଜ ୩ୟ ଟେଷ୍ଟମ୍ୟାଚ୍ ଖେଳିବେ ନାହିଁ। କ୍ରମାଗତ ପରାଜୟ ଯୋଗୁଁ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ନିମ୍ନଗାମୀ ହୋଇଛି। ଏପରି ପରିସ୍ଥିତିରେ ଭାରତ ୩-୦ରେ ସିରିଜ୍ ପୋଛିନେବାର ଭବିଷ୍ୟବାଣୀ ଠିକ୍‌ହେବ ବୋଲି କହିପାରିବା।

ଭାରତୀୟ ବ୍ୟାଟିଂ ଲାଇନ୍‌ର ସମସ୍ତ ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍‌କରି ଫର୍ମରେ ରହିଛନ୍ତି। ଦଳକୁ ଅଧିକ ଉତ୍ସାହିତ କରିଛି ପ୍ରଥମଥର ପାଇଁ ଇନିଂସ ଓପନ୍‌ କରିଥିବା ରୋହିତ ଶର୍ମା ଓ ଟେଷ୍ଟ ଓପ୍‌ନର ଭାବେ ସ୍ଥାନ ଦୃଢ଼ କରି ଚାଲିଥିବା ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଂ ଫର୍ମ। ଉଭୟ ଓପ୍‌ନର ଶତକ ହାସଲ କରିଛନ୍ତି। ଅଧିନାୟକ ବିରାଟ କୋହଲି ୨ୟ ଟେଷ୍ଟରେ ଦ୍ବିଶତକ ମାରିଥିବା ବେଳେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ମଧ୍ୟ ରନ୍ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ତାଙ୍କ ଅଲ୍‌ରାଉଣ୍ଡର ଦକ୍ଷତା ଦେଖାଇ ପାରିଛନ୍ତି।

ପୂର୍ବ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ମାତ୍ର ୧୬ଟି ୱିକେଟ୍‌ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ଅନେକଥର ଅଲଆଉଟ୍‌ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ଉପରେ ବିଶେଷ ପ୍ରଭାବ ପକାଇବାକୁ ସକ୍ଷମ ହୋଇପାରି ନଥିବା କୁହାଯାଇ ପାରିବ। ଅନ୍ୟପକ୍ଷରେ ଏହି ଟେଷ୍ଟ ସିରିଜ୍‌ରେ ଉଭୟ ଭାରତୀୟ ଦ୍ରୁତ ବୋଲର ଓ ସ୍ପିନର ଚମତ୍କାର ବୋଲିଂ କରିଛନ୍ତି। ଯାହାକି ଦକ୍ଷିଣ ଆଫ୍ରିକା ନିମନ୍ତେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବା ଦକ୍ଷିଣ ଆଫ୍ରିକା ନିମନ୍ତେ କାଠିକାର ପାଠ ହେବ। ପୁଣେ ଟେଷ୍ଟରେ ଦ୍ରୁତ ବୋଲର ଉମେଶ ଯାଦବ ଭାରତୀୟ ଦଳ ତରଫରୁ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ତାଙ୍କୁ ହନୁମା ବିହାରୀଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିଲା। ପୁଣେ ଟେଷ୍ଟରେ ଭଲ ପ୍ରଦର୍ଶନ ପରେ ଉମେଶ ୩ୟ ଟେଷ୍ଟରେ ଖେଳିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାଞ୍ଚି ପିଚ୍‌ରେ ବଲ୍‌ ସ୍ପିନ୍‌ ହେବାର ବହୁ ସମ୍ଭାବନା ଥିବାରୁ ଭାରତୀୟ ଦଳରେ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇ ପାରେ ବୋଲି ଆଲୋଚନା ହେଉଛି।

ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍ କିଛିଟା ସଂଘର୍ଷ କରିଥିଲେ ମଧ୍ୟ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଦ୍ବିତୀୟ ଟେଷ୍ଟରେ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ୍‌ ଡୁପ୍ଲେସି ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବରିଷ୍ଠ ବ୍ୟାଟସମ୍ୟାନ୍‌ ଡିଅନ୍‌ ଏଲଗର୍‌, କ୍ବିଣ୍ଟନ୍‌ ଡି’ କକ୍‌ ଓ ବାଭୁମା ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଆହ୍ବାନ ଦେଇଥିଲେ। ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡ଼ା, ଭନର୍ନ ଫିଲାଣ୍ଡର ଓ ନୋର୍ଟଜେଙ୍କ ପରି ଦ୍ରୁତ ବୋଲର ଥିବା ବେଳେ ସେମାନେ ନିଜ ଦକ୍ଷତା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ ଏଥିରେ କୌଣସି ଦ୍ବିମତ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ତୃତୀୟ ଟେଷ୍ଟରେ ଭାରତୀୟ ଦଳର ସ୍ଥିତି ବେଶ୍‌ ମଜଭୁତ୍‌ ଥିବା ବେଳେ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବ।

Comments are closed.