ସମ୍ମାନ ରଖିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

୩ୟ ଟ୍ବେଣ୍ଟି-୨୦ ଆଜି : କୋହଲି, ରାହୁଲଙ୍କୁ ବିଶ୍ରାମ

ଇନ୍ଦୋର : ଅଷ୍ଟ୍ରେଲିଆରେ ବିଶ୍ବକପ୍‌ ପୂର୍ବରୁ ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଯାଉଛି ଭାରତୀୟ କ୍ରିକେଟ୍‌ ଦଳ। ମଙ୍ଗଳବାର ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। କାଗଜରେ ଅବଶ୍ୟ ଏହି ମ୍ୟାଚ୍‌ ଗୁରୁତ୍ବହୀନ। କାରଣ ପ୍ରଥମ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତି ୨-୦ରେ ଆଗୁଆରହି ଘରୋଇମାଟିରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିନେଇଛି। ହେଲେ ଟି୨୦ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ। ଶୃଙ୍ଖଳା ଜିତିଥିବାରୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଦୁଇ ବରିଷ୍ଠ ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଓ କେ.ଏଲ୍‌. ରାହୁଲଙ୍କୁ ବିଶ୍ରାମ ଦେବାକୁ ଘୋଷଣା କରିଛି।
ଫଳରେ ୩ୟ ଟ୍ବେଣ୍ଟି୨୦ରେ ଭାରତ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ଅକ୍ଷର ପଟେଲ ଖେଳିବା ନିଶ୍ଚିତ ହୋଇଥିବା ବେଳେ ବଙ୍ଗଳାର ବାମହାତି ସ୍ପିନର ଶାହ୍‌ବାଜ ଅହମ୍ମଦ ଆନ୍ତର୍ଜାତିକ ପଦାର୍ପଣ କରିପାରନ୍ତି। ଅକ୍ଷର ଓ ଶାହ୍‌ବାଜ ଅଲ୍‌ରାଉଣ୍ଡର ଥିବାରୁ ବିରାଟ କୋହଲିଙ୍କ ଅଭାବ ଦୁହେଁ ପୂରଣ କରିପାରିବେ। ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତ୍‌ ଇନିଂସ ଓପନ୍‌ କରିବେ। କାରଣ ଏହି ଶୃଙ୍ଖଳାରେ ପନ୍ତ୍‌ଙ୍କୁ ବ୍ୟାଟିଂର ଅଧିକ ସୁଯୋଗ ମିଳିନାହିଁ। ହେଲେ ଚୂଡ଼ାନ୍ତ ଏକାଦଶରେ ଷ୍ଟାଣ୍ଡବାଇ ଥିବା ବ୍ୟାଟ୍‌ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ କୋହଲିଙ୍କ ବଦଳରେ ଖେଳିବାର ସୁଯୋଗ ମିଳିପାରେ। ଆୟର ୩ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଗତ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରଠାରୁ ଭାରତୀୟ ବ୍ୟାଟିଂ ବେଶ୍‌ ସୁଦୃଢ଼ ମନେହେଉଛି। ସୂର୍ଯ୍ୟକୁମାରଙ୍କ ଚମତ୍କାର ବ୍ୟାଟିଂ ଫର୍ମ ସହ କୋହଲି ଫର୍ମକୁ ଫେରିବା ଯୋଗୁଁ ଭାରତୀୟ ବ୍ୟାଟିଂ ମଜ୍‌ଭୁତ ହୋଇଛି। ସୂର୍ଯ୍ୟକୁମାର କ୍ରମାଗତ ୩ୟ ଟି୨୦ ଅର୍ଦ୍ଧଶତକ ମାରିଛନ୍ତି। ରୋହିତ ଶର୍ମା ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ଫିନିସର ଦିନେଶ କାର୍ତ୍ତିକ ତାଙ୍କ ଭୂମିକା ସଠିକ୍‌ ଭାବେ ନିର୍ବାହ କରୁଛନ୍ତି। ତେବେ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ସେପରି ମଜ୍‌ଭୁତ ମନେ ହେଉନାହିଁ। ୨ୟ ଟ୍ବେଣ୍ଟି୨୦ରେ ଡେଭିଡ୍‌ ମିଲର ଓ କ୍ବିଣ୍ଟନ ଡି କକ୍‌ ଶେଷ ୧୦ ଓଭରରୁ ୧୫୧ ରନ୍‌ ମାରିବା ଭାରତୀୟ ବୋଲିଂ ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଦୀପକ ଚହର ନୂଆବଲ୍‌ରେ ଭଲ ବୋଲିଂ କରୁଥିବା ବେଳେ ପୁରୁଣା ବଳରେ ସାଧାରଣ ମନେ ହେଉଛନ୍ତି। କିଛି ମ୍ୟାଚ୍‌ରେ ଅର୍ଶଦୀପ ସିଂହ ଭଲ ବୋଲିଂ କରିଥିଲେ ହେଁ ରବିବାର ୪ ଓଭରରୁ ୬୨ ରନ୍‌ ଦେଇଥିଲେ। ଭାରତ ପାଇଁ ଏହା ସବୁଠାରୁ ମହଙ୍ଗା ଟ୍ବେଣ୍ଟି୨୦ ବୋଲିଂ ଫିଗର। ବିଶ୍ବକପ୍‌ ପୂର୍ବରୁ ହର୍ଷଲ ପଟେଲଙ୍କୁ ଅଧିକ ମ୍ୟାଚ୍‌ ଖେଳିବାକୁ ଦେବା ପାଇଁ ଭାରତୀୟ ଦଳର ଯୋଜନା ଥିବା ବେଳେ ମହମ୍ମଦ ସିରାଜ୍‌ଙ୍କୁ ସୁ​‌େ​‌ଯାଗ ମିଳିବା ସମ୍ଭାବନା କମ୍‌। ଦକ୍ଷିଣ ଆଫ୍ରିକା ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛନ୍ତି ଏହାର ଅଧିନାୟକ ତେମ୍ବା ବାଭୁମା। ଅଦ୍ୟାବଧି ୨ଟି ମ୍ୟାଚ୍‌ରେ ବାଭୁମା ୧୧ଟି ବଲ୍‌ ଖେଳି ଖାତା ଖୋଲି ପାରିନାହାନ୍ତି। କଦାପି ସେ ଟ୍ବେଣ୍ଟି୨୦ ଓପ୍‌ନର ନୁହନ୍ତି। ତାଙ୍କରି ଦେଶର ଟ୍ବେଣ୍ଟି୨୦ ଲିଗ୍‌ ପାଇଁ କେହି ବାଭୁମାଙ୍କୁ ନ କିଣିବା ଏହାର ପ୍ରମାଣ। ଅଧିନାୟକ ଥିବାରୁ ଦଳ ତାଙ୍କୁ ବସାଇ ପାରିବ ନାହିଁ ମଧ୍ୟ। ବିଶ୍ବକପ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ବାଭୁମା ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି। ବହୁତଦିନ ପରେ ଦଳକୁ ଫେରିଥିବା ରାଇଲି ରୁସୌ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ରାଇଲି ରୁସୌଙ୍କୁ ମଙ୍ଗଳବାର ସୁଯୋଗ ମିଳିପାରେ। ହୋଲ୍‌କାର ଷ୍ଟାଡିୟମ୍‌ର ବ୍ୟାଟିଂ ପିଚ୍‌ ଓ ଛୋଟ ବାଉଣ୍ଡରୀ ଯୋଗୁଁ ଅଧିକ ରନ୍‌ ହୋଇପାରେ। ଉଭୟ ଦଳ ରନ୍‌ର ପିଛା କରିବାକୁ ଚାହିଁବେ।

Comments are closed.